ପୋଡ଼ାଗଲା ୨୧ ହଜାର ଅଫିମ ଗଛ

ଭୁବନେଶ୍ବର: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଏଦେଲବେଡ଼ା ଗ୍ରାମର ବୁରୁସାହିରେ ୧ ଏକର ଜମିରେ ଲକ୍ଷ ଲକ୍ଷ ଟଙ୍କାର ଅଫିମ ଚାଷକୁ ଠାବକରି ପୋଡ଼ିଛି ପୁଲିସ ପ୍ରଶାସନ। ପୋଡ଼ା ଯାଇଥିବା ଅଫିମ ଚାଷର ମୂଲ୍ୟ ଆନୁମାନିକ ୪୨ଲକ୍ଷ ହେବ ବୋଲି ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ଏଡେଲବେଡା ଗ୍ରାମରେ ଅଫିମ ଚାଷ ହୋଇଥିବା ଖବର ପୁଲିସ ପାଇ ଏସ୍‌ଡିପିଓ ସୁବ୍ରତ କୁମାରଙ୍କ ନେତୃତ୍ୱରେ ପୁଲିସ ଟିମ୍ ସହ ବନ ବିଭାଗ ଓ ଅବକାରୀ ବିଭାଗ ମଳିତ ଭାବେ ବୁଧବାର ସକାଳୁ ଚଢ଼ାଉ କରିଥିଲେ। ମାଜିଷ୍ଟ୍ରେଟ୍ ଭାବେ ଠାକୁରମୁଣ୍ଡା ତହସିଲଦାର ସମ୍ବିତ କୁମାର କରଙ୍କ ଉପସ୍ଥିତିରେ ୨୧ ହଜାର ଗଛ ଉପାଡ଼ି ପୋଡା ଯାଇଥିଲା। ପାହାଡ଼ ତଳକୁ ଝରଣା ଲାଗି ଜଙ୍ଗଲ ଭିତରେ ଥିବା ଚାଷ ସ୍ଥାନଟି ରାଜସ୍ୱ ବିଭାଗ ଅଧୀନରେ ରହିଛି। ଏଠାରେ ଅତି ଯତ୍ନ ସହକାରେ ଅଫିମ ଚାଷ କରାଯାଇଥିଲା। ତେବେ ଏନେଇ ଠାକୁରମୁଣ୍ଡା ଥାନାରେ କେଶ ନଂ ୬ ଏବଂ ଦଫା ୧୮ ଏନଡିପିଏସ୍ ଧାରାରେ ମୋକଦ୍ଦମା ରୁଜୁହୋଇ ତଦନ୍ତ ଚାଲୁ ରହିଥିବା ଏସ୍‌ଡିପିଓ ସୁବ୍ରତ କୁମାର ପ୍ରକାଶ କରିଛନ୍ତି। ଏହି ଚଢ଼ାଉରେ ଠାକୁରମୁଣ୍ଡା ଅବକାରୀ ଥାନାର କର୍ମଚାରୀ, ଠାକୁରମୁଣ୍ଡା ବନ ବିଭାଗ କର୍ମଚାରୀ, କେନ୍ଦୁଜିଆଣୀ ଆର୍ ଆଇ, ଏଏସ୍‌ଆଇ ରତ୍ନାକର ବାରିକ, ଏଏସ୍‌ଆଇ ଅନୀତ ସ୍ୱାଇଁ ଓ ପୁଲିସ ସାମିଲ ହୋଇଥିଲେ। ଥାନା ଅଧିକାରୀଣୀ ସାବିତ୍ରୀ ଦଳେଇ କେଶର ତଦନ୍ତ ଭାର ନେଇଛନ୍ତି ଏବଂ ଖୁବ ଶୀଘ୍ର ଆସାମୀ ଧରପଡ଼ିବେ ବୋଲି କହିଛନ୍ତି।

21