+୨ ପରୀକ୍ଷା ଫଳ ପ୍ରକଶ,ବାଜି ମାରିନେଲେ ଝିଅ

ଭୁବନେଶ୍ୱର: ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଛି। ଗୋଟିଏ ଦିନରେ କଳା,ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ପ୍ରକାଶ ପାଇଛି। ଭୁବନେଶ୍ବର ସିଏଚଏସଇ କାର୍ଯ୍ୟାଳୟ ପରିସରରେ ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ ପରୀକ୍ଷା ଫଳ ପ୍ରକାଶ କରିଛନ୍ତି। ଚଳିତ ବର୍ଷ କଳାରେ ପାସ୍‌ ହାର ୮୦.୯୫ ପ୍ରତିଶତ, ବିଜ୍ଞାନରେ ପାସ୍‌ ହାର ୮୬.୯୩ ପ୍ରତିଶତ, ବାଣିଜ୍ୟରେ ପାସ୍‌ ହାର ୮୨.୨୭ ପ୍ରତିଶତ ଓ ଧନ୍ଦାମୂଳକ ଶିକ୍ଷାରେ ୬୮.୦୨ ପ୍ରତିଶତ ପାସହାର ରହିଛି।

ଛାତ୍ରଛାତ୍ରୀମାନେ ସେମାନଙ୍କ ରେଜଲ୍ଟ www.orissaresults.nic.in ସହ ସେମାନଙ୍କ ବିଦ୍ୟାଳୟ ଇ-ସ୍ପେସ୍ ଏବଂ ଡିଜିଲକର୍ ମାଧ୍ୟମରେ ପାଇପାରିବେ।

ସୂଚନାଯୋଗ୍ୟ ଚଳିତବର୍ଷ ୩ ଲକ୍ଷ ୮୬ ହଜାର ୨୫୦ ଜଣ ପରୀକ୍ଷାର୍ଥୀ ଯୁକ୍ତ ୨ ପରୀକ୍ଷା ଦେଇଛନ୍ତି। ଏମାନଙ୍କ ମଧ୍ୟରେ ୩ ଲକ୍ଷ ୬୦ ହଜାର ୧୯୮ ଜଣ ରେଗୁଲାର ଏବଂ ୨୬ ହଜାର ୫୨ ଜଣ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ଅଛନ୍ତି। କଳା ବିଭାଗରେ ୨ ଲକ୍ଷ ୩୫ ହଜାର ୨୧୮ଜଣ ପରୀକ୍ଷାର୍ଥୀ ଥିବାବେଳେ ବିଜ୍ଞାନରେ ୧ ଲକ୍ଷ ୧୬ ହଜାର ୬୨୦, ବାଣିଜ୍ୟରେ ୨୬ ହଜାର ୮୯ ଜଣ ଓ ଧନ୍ଦାମୂଳକରେ ୫ହଜାର ୭୯୧ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ମୋଟ ଛାତ୍ରଙ୍କ ମଧ୍ୟରୁ ୧ ଲକ୍ଷ ୯୯ ହଜାର ୩୬୧ଜଣ ଛାତ୍ରୀ ଥିବାବେଳେ ଛାତ୍ରଙ୍କ ସଂଖ୍ୟା ୧ ଲକ୍ଷ ୮୬ ହଜାର ୮୮୯ ରହିଛି।

ସେପଟେ କଳାରେ ମୋଟ୍ ୨,୩୫,୨୧୮ ଜଣ ପରୀକ୍ଷା ଦେଇଥିବା ବେଳେ ୧,୯୦,୪୨୯ ଜଣ ପାସ୍‌ କରିଛନ୍ତି। ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍‌ ହାର ଅଧିକ ରହିଛି। ୧,୦୪,୪୪୭ ପୁଅଙ୍କ ମଧ୍ୟରୁ ୭୫,୯୧୩ ଉତ୍ତୀର୍ଣ୍ଣ। ପୁଅଙ୍କ ପାସ୍‌ ହାର ୭୨.୬୮ ପ୍ରତିଶତ ରହିଛି। ସେହିପରି କଳାରେ ୧,୩୦,୭୭୧ ଝିଅ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧,୧୪,୫୧୬ ଉତ୍ତୀର୍ଣ୍ଣ କରିଛନ୍ତି। ଝିଅଙ୍କ ପାସ୍ ହାର ୮୭.୫୬ ପ୍ରତିଶତରହିଛି।

ଯୁକ୍ତ ଦୁଇ ବିଜ୍ଞାନରେ ମଧ୍ୟ ଝିଅମାନେ ବାଜିମାତ୍ କରିଛନ୍ତି। ୬୦,୯୭୩ ପୁଅ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୫୨,୫୬୭ ଉତ୍ତୀର୍ଣ୍ଣ କରିଛନ୍ତି। ପୁଅଙ୍କ ପାସ୍‌ ହାର ୮୬. ୨୧ ପ୍ରତିଶତ ରହିଛି। ୫୪,୯୨୨ ଝିଅ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୮,୧୯୦ ପାସ୍ କରିଛନ୍ତି। ଝିଅଙ୍କ ପାସ୍ ହାର ୮୭.୭୪ ପ୍ରତିଶତ ରହିଛି।

ସେହିପରି ଯୁକ୍ତ ଦୁଇ ବାଣିଜ୍ୟରେ କମାଲ ଦେଖାଇଲେ ଝିଅ। ବାଣିଜ୍ୟରେ ୯୪୩୧ ଝିଅ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୮୦୬୯ ପାସ୍ କରିଛନ୍ତି। ଝିଅଙ୍କ ପାସ୍ ହାର ୮୫.୫୫ % ରହିଛି। ୧୬,୪୬୬ ପୁଅ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୩,୨୩୯ ପାସ୍ କରିଛନ୍ତି। ପୁଅଙ୍କ ପାସ୍ ହାର ୮୦.୪୦% ରହିଛି।

ଅନ୍ୟପଟେ ଚଳିତ ବର୍ଷ ଧନ୍ଦାମୂଳକ ଶିକ୍ଷାରେ ୫୬୩୬ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୮୩୪ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଏହି ପରୀକ୍ଷାରେ ପାସହାର ୬୮.୦୨ ପ୍ରତିଶତ ରହିଛି ।