ବାଣ ବିସ୍ଫୋରଣରେ ୨ ମୃତ

ଭୁବନେଶ୍ବର: ବାଣ ବିସ୍ଫୋରଣରେ ଗୋଟିଏ ପରିବାରର ୨ ଜଣକର ମୃତ୍ୟୁ ହୋଇଥିବା ବେଳେ ଆଉ ୨ ଜଣ ଗୁରୁତର ହୋଇଛନ୍ତି। ୨ ମୃତକ ଦୁଇ ଜଣ ହେଲେ ବଡ଼ ବାଗ ଗାଁର ରାଜେଶ ଦାସ ଓ ତାଙ୍କ ସ୍ତ୍ରୀ ରାନୀ ଦାସ। ସେହିଭଳି ଆହତମାନେ ହେଲେ ମୃତ ରାଜେଶଙ୍କ ଭାଇ ପରେଶ ଦାସ ଓ ତାଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ଦାସ। ଗତକାଲି ରାତିରେ ଜଗତସିଂହପୁର ସଦର ଥାନା ବଡ଼ବାଗ ଗାଁରେ ଏହି ଅଘଟଣ ଘଟିଛି। ବାଣ ଭିଡ଼ୁଥିବା ବେଳେ ଏଥିରେ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା। ଫଳରେ ଏକ କୋଠା ଘରର ଛାତ ସମେତ କାନ୍ଥ ଭାଙ୍ଗି ଛିନଛତ୍ର ହୋଇଯାଇଥିଲା।ଭଙ୍ଗା କୋଠା ଭିତରେ ଘରର କିଛି ସଦସ୍ୟ ଚାପି ହୋଇ ରହିଥିଲେ। ଘଟଣାସ୍ଥଳରେ ପୁଲିସ, ଅଗ୍ନିଶମ ଓ ଓଡ୍ରାଫ ବାହିନୀ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ। ବିସ୍ଫୋରଣ ସ୍ଥଳରୁ ଦୀର୍ଘ ଅଢେଇ ଘଣ୍ଟା ଧରି ଉଦ୍ଧାର କାର୍ୟ୍ୟ ଜାରି ରହିଥିଲା।