ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟରେ କ୍ରୀଡ଼ା ଛାତ୍ରାବାସ ଶିକ୍ଷାର୍ଥୀଙ୍କୁ ୧୫% ସଂରକ୍ଷଣ

ଭୁବନେଶ୍ୱର :ଭୁବନେଶ୍ୱର ଏବଂ ସମ୍ବଲପୁରର କୁଲୁଣ୍ଡି ଠାରେ ଥିବା ସରକାରୀ ଶିକ୍ଷା ମହାବିଦ୍ୟାଳୟରେ କ୍ରୀଡ଼ା ଛାତ୍ରାବାସର ଶିକ୍ଷାର୍ଥୀର୍ଙ୍କ ପାଇଁ ୧୫% ଆସନ ସଂରକ୍ଷିତ ରହିବ  । ଏନେଇ ଆସିଥିବା ପ୍ରସ୍ତାବ ଉପରେ କ୍ୟାବିନେଟର ମୋହର ଲାଗିଛି  ।  ସରକାରୀ ଶିକ୍ଷା ମହାବିଦ୍ୟାଳୟର ଚୟନ ପ୍ରକ୍ରିୟାରେ କ୍ରୀଡ଼ା ଛାତ୍ରବାସର ଶିକ୍ଷାର୍ଥୀଙ୍କ ନିମନ୍ତେ ୫% ନମ୍ବର ମଧ୍ୟ କୋହଳ କରାଯିବ  ।  ଯାହାଫଳରେ କ୍ରୀଡ଼ା ଛାତ୍ରାବାସର ଶିକ୍ଷାର୍ଥୀମାନେ ଶାରୀରିକ ଶିକ୍ଷାରେ ଚାକିରୀ କରିବାର ସୁଯୋଗ ପାଇପାରିବେ  । ଖୋର୍ଦ୍ଧା ଜିଲ୍ଲାର ଜଟଣୀ ତହସିଲ ଅନ୍ତର୍ଗତ ଜାମୁକୋଳି ମୌଜାରେ କେନ୍ଦ୍ରୀୟ ହୋମିଓପାଥି ଗବେଷଣା ପ୍ରତିଷ୍ଠାନ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ୫ ଏକର ଜମି ଯୋଗାଇଦେବେ  । ଏଥିପାଇଁ ରାଜ୍ୟ ସରକାର ପ୍ରିମିୟମ ନେବେ ନାହିଁ  । ଏକର ପିଛା ବାର୍ଷିକ ମାତ୍ର ୧୦୦ ଟଙ୍କା ଗ୍ରାଉଣ୍ଡ ରେଂଟ ଓ ସେସ ବାବଦକୁ ଗ୍ରାଉଣ୍ଡ ରେଂଟର ୭୫% ଦେୟ ବିନିମୟରେ ଦେବାକୁ ନିଷ୍ପତି ନେଇଛନ୍ତି  । କ୍ୟାବିନେଟରେ ଏହି ପ୍ରସ୍ତାବ ଉପରେ ମଧ୍ୟ ମୋହର ଲାଗିଛି  ।
କ୍ୟାବିନେଟ ବୈଠକ ପରେ ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର କହିଲେଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି  । ବୈଠକରେ ୩୩ଟି ପ୍ରସ୍ତାବ ଉପରେ ମୋହର ଲାଗିଛି  । ଜଳସମ୍ପଦ ବିଭାଗର ୬ଟି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ଦେଇଛନ୍ତି  ।