ଭୁବନେଶ୍ୱର: ଅତ୍ୟାବଶ୍ୟକୀୟ ସେବା ପାଇଁ ସାଧାରଣ ଲୋକଙ୍କୁ ଆଉ ବାରମ୍ବାର ଥାନାକୁ ଯିବାକୁ ପଡ଼ିବ ନାହିଁ। ଘରେ ବସି ନିଜ ମୋବାଇଲ ଫୋନ୍ ମାଧ୍ୟମରେ ଲୋକଙ୍କୁ ବିଭିନ୍ନ ପ୍ରକାର ସୁବିଧା ଯୋଗାଇ ଦେବ ଓଡ଼ିଶା ପୁଲିସ। ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଡିଜିଟାଲ ପଦକ୍ଷେପ ଅଧୀନରେ ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟରେ ୧୪ଟି ଗୁରୁତ୍ୱପୂର୍ଣ୍ଣ ପୁଲିସ-ନାଗରିକ ସେବା ଯୋଡ଼ାଯାଇଛି। ଭୁବନେଶ୍ୱରସ୍ଥିତ ଡିଜିପି କ୍ୟାମ୍ପ ଅଫିସରେ ଶୁକ୍ରବାର ଅନ୍ତରୀଣ ପୁଲିସ ଡିଜି ବିନୟତୋଷ ମିଶ୍ର ଏହି ନୂଆ ଡିଜିଟାଲ ପୁଲିସିଂ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । ସାଧାରଣ ଲୋକଙ୍କ ନିକଟରେ ସରକାରୀ ସେବା ସହଜରେ ପହଂଚାଇବା ଲକ୍ଷ୍ୟରେ ରାଜ୍ୟ ସରକାର ଗତ ଡିସେମ୍ବର ମାସରେ ଶୁଭାରମ୍ଭ କରିଥିବା ୨୪ଘଣ୍ଟିଆ ଡିଜିଟାଲ ସହାୟକ ପ୍ଲାଟଫର୍ମ ‘ଆମ ସାଥୀ’ ହ୍ୱାଟସଆପ୍ ବଟ୍ ରେ ପୁଲିସ ସେବା ଯୋଡ଼ି ହୋଇଛି। ଓଡ଼ିଶା ସରକାରଙ୍କ ସିଏମ୍ଜିଆଇ, ଷ୍ଟେଟ୍ କ୍ରାଇମ୍ ରେକର୍ଡସ୍ ବ୍ୟୁରୋ, ଓଡ଼ିଶା ପୁଲିସ ଓ ମେଟା ଇଣ୍ଡିଆର ମିଳିତ ସହଭାଗିତାରେ ଏହି ହ୍ୱାଟସଆପ୍ ବଟ୍ ବିକଶିତ କରାଯାଇଛି। ଗୃହ ବିଭାଗର ଓଆରଟିପିଏସଏ ଅଧୀନରେ ଥିବା ସେବାଗୁଡ଼ିକୁ ଏହି ବଟ୍ ସହିତ ସମନ୍ୱିତ କରାଯାଇ ନାଗରିକଙ୍କ ସେବାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ, ଦ୍ରୁତ ତଥା ନିର୍ଭରଯୋଗ୍ୟ କରିବା ଲାଗି ଏସସିଆରବି ପକ୍ଷରୁ ବୈଷୟିକ ବ୍ୟବସ୍ଥା କରାଯାଇଛି। ଏହି ସେବା ପାଇବା ଅତ୍ୟନ୍ତ ସରଳ ଓ ସହଜ। ନାଗରିକମାନଙ୍କୁ କେବଳ ୯୪୩୭୨୯୨୦୦୦ ନମ୍ବରଟିକୁ ନିଜ ଫୋନରେ ସେଭ୍ କରି ହ୍ୱାଟ୍ସଆପରେ ‘Hi ’ ଲେଖି ପଠାଇବାକୁ ହେବ। ଏହାପରେ ପସନ୍ଦର ଭାଷା ଚୟନ କରି ତାଲିକାରୁ ନିଜ ମନମୁତାବକ ସେବା ବାଛିବା ସହ ଆବଶ୍ୟକ ତଥ୍ୟ ଓ ଦଲିଲ୍ ଅପଲୋଡ୍ କରିବାକୁ ପଡ଼ିବ। ଆବେଦନ ଦାଖଲ ହେବା କ୍ଷଣି ମିଳିଥିବା ରେଫରେନ୍ସ ନମ୍ବର ମାଧ୍ୟମରେ କାର୍ଯ୍ୟର ସ୍ଥିତି ଯାଂଚ କରାଯାଇପାରିବ ଓ ଯାଂଚ ପ୍ରକ୍ରିୟା ଶେଷ ହେବା ପରେ ଅନୁମୋଦିତ ଡିଜିଟାଲ୍ ପ୍ରମାଣପତ୍ର ବା ଦଲିଲ୍ ହ୍ୱାଟ୍ସଆପରେ ହିଁ ଡାଉନଲୋଡ୍ ହୋଇପାରିବ । ଏହି ନୂଆ ବ୍ୟବସ୍ଥା ମାଧ୍ୟମରେ ଓଡ଼ିଶା ପୁଲିସ ଯେଉଁ ୧୪ଟି ସେବା ଯୋଗାଇ ଦେବ ବୋଲି ଘୋଷଣା କରିଛି ସେଗୁଡ଼ିକ ହେଲା- ଚରିତ୍ର ପ୍ରମାଣପତ୍ର,ବରିଷ୍ଠ ନାଗରିକ ପଞ୍ଜିକରଣ,କର୍ମଚାରୀ ସତ୍ୟାପନ,ହଜିଯାଇଥିବା ସମ୍ପତ୍ତି-ଦଲିଲ୍ ସମ୍ପର୍କିତ ରିପୋର୍ଟ,ଲାଉଡ୍ସ୍ପିକର୍ ଅନୁମତି ପାଇଁ ଏନଓସି,ଭଡ଼ାଟିଆ-ପିଜି ସତ୍ୟାପନ,ହଜିଯାଇଥିବା ସମ୍ପତ୍ତି ପଞ୍ଜିକରଣ,ନିଖୋଜ ବ୍ୟକ୍ତି ସମ୍ପର୍କିତ ସୂଚନା ଓ ପଞ୍ଜୀକରଣ,ଥାନାରେ ଏଫଆଇଆର ପଞ୍ଜିକରଣ,କର୍ମଚାରୀ-ଘରୋଇ ସହାୟକ ନିୟୋଜନ ସତ୍ୟାପନ,କାର୍ଯ୍ୟକ୍ରମ-ପ୍ରଦର୍ଶନ ପାଇଁ ଅନୁମତି,ଧାରଣା-ଧର୍ମଘଟ ପାଇଁ ଅନୁମତି, ଏଫଆଇଆର ନକଲ ପ୍ରଦାନ,ସଡ଼କ ଦୁର୍ଘଟଣା-ଚୋରି ଯାନବାହନ-ଚୋରି ମାମଲା ସମ୍ପର୍କିତ Final Formର ନକଲ ପ୍ରଦାନ l