ଖୋଲିଲା ହୀରାକୁଦର ୧୪ଟି ଗେଟ୍: ମହାନଦୀରେ ବଢୁଛି ଜଳସ୍ତର

ଭୁବନେଶ୍ବର: ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଡ୍ୟାମ୍‌ କର୍ତ୍ତୃପକ୍ଷ ଆଉ ୨ଟି ଗେଟ୍‌ ଖୋଲିଛନ୍ତି। ଫଳରେ ବର୍ତ୍ତମାନ ମୋଟ ୧୪ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ଏଥିମଧ୍ୟରୁ ବାମ ପାର୍ଶ୍ୱର ୭ଟି ଏବଂ ଡାହାଣ ପାର୍ଶ୍ୱର ୭ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଚାଲିଛି। ବର୍ତ୍ତମାନ ସୁଦ୍ଧା ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୩ ଲକ୍ଷ ୬୯ ହଜାର ୩୨୨ କ୍ୟୁସେକ୍‌ ଜଳ ପ୍ରବେଶ କରୁଛି। ସୂଚନାଯୋଗ୍ୟ, ହୀରାକୁଦର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍‌ ହୋଇଥିବା ବେଳେ ବର୍ତ୍ତମାନର ଜଳସ୍ତର ୬୨୪.୧୦ ଫୁଟ୍‌ ରହିଛି। ଆଗକୁ ବର୍ଷା ଜାରି ରହିଲେ ତଳିଆ ଅଞ୍ଚଳରେ ନଦୀର ଜଳସ୍ତର ଆହୁରି ବୃଦ୍ଧି ପାଇବା ସମ୍ଭାବନା ରହିଛି।