କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ୧୦ମ ସବ୍-ଜୁନିୟର ନ୍ୟାସନାଲ ରଗବୀ ସେଭେନ୍ସ ଚାମ୍ପିୟନସିପ୍

ଆସନ୍ତା ଜାନୁଆରୀ ୧୬ ରୁ ୨୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ, ରଗବୀ ଇଣ୍ଡିଆ ଏବଂ ଓଡ଼ିଶା ଷ୍ଟେଟ୍ ରଗବୀ ଆସୋସିଏସନ ମିଳିତ ସହଯୋଗରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ‘ଦଶମ ସବ୍‌-ଜୁନିୟର ଜାତୀୟ ରଗବୀ ସେଭେନ୍ସ ଚାମ୍ପିୟନସିପ୍-୨୦୨୫’ ଆୟୋଜିତ ହେବାକୁ ଯାଉଛି। ଆଜି କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ କ୍ରୀଡ଼ା ଓ ଯୁବସେବା ବିଭାଗର କ୍ରୀଡ଼ା ନିର୍ଦ୍ଦେଶକ ଡା. ୟେଦୁଲା ବିଜୟ, ରଗବୀ‌ ଇଣ୍ଡିଆ ସଭାପତି ଶ୍ରୀ ରାହୁଲ ବୋଷ ଏବଂ ଓଡ଼ିଶା ରଗବୀ ଫୁଟବଲ ଆସୋସିଏସନ ସଭାପତି ଶ୍ରୀ ପ୍ରିୟଦର୍ଶୀ ମିଶ୍ର ଗଣମାଧ୍ୟମକୁ ସମ୍ବୋଧିତ କରି ପ୍ରତିଯୋଗିତାର ରୂପରେଖ ଓ ବୈଷୟିକ ଦିଗ ସମ୍ପର୍କରେ ସୂଚନା ଦେଇଥିଲେ।

କ୍ରୀଡ଼ା ନିର୍ଦ୍ଦେଶକ ଡା. ୟେଦୁଲା ବିଜୟ ସାମ୍ବାଦିକ ସମ୍ମିଳନୀରେ ଏହି କ୍ରୀଡ଼ା ମହାକୁମ୍ଭର ଆନୁଷ୍ଠାନିକ ଘୋଷଣା କରିବା ସହ କହିଥିଲେ ଯେ, ଜାନୁଆରୀ ୧୬ ରୁ ୨୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ‘ଦଶମ ସବ୍‌-ଜୁନିୟର ଜାତୀୟ ରଗବୀ ସେଭେନ୍ସ ଚାମ୍ପିୟନସିପ୍-୨୦୨୫’ରେ ଦେଶର ୨୪ଟି ରାଜ୍ୟରୁ ୫୫୦ରୁ ଅଧିକ ୧୫ ବର୍ଷରୁ କମ୍ ବୟସ୍କ ଖେଳାଳି ଏବଂ ୧୩୦ରୁ ଅଧିକ ଅଫିସିଆଲ୍ସ ଓ ବୈଷୟିକ ଅଧିକାରୀ ସାମିଲ ହୋଇଛନ୍ତି। ଏହି ପ୍ରତିଯୋଗିତାରେ ଉଭୟ ବାଳକ ଓ ବାଳିକା ବର୍ଗରେ ସମୁଦାୟ ୬୮ଟି ଲେଖାଏଁ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଛି। ଏଥିରେ ଓଡ଼ିଶା ସମେତ ବିହାର, ରାଜସ୍ଥାନ, ମହାରାଷ୍ଟ୍ର, କେରଳ, ପଞ୍ଜାବ, ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ, ଦିଲ୍ଲୀ, ଛତିଶଗଡ଼, ଗୁଜରାଟ, ମଣିପୁର, ଆସାମ ଏବଂ ହରିୟାଣା ଭଳି ୨୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଦଳଗୁଡ଼ିକ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।