ନିଖୋଜର ୧୦ ବର୍ଷ ପରେ ମାଟିତଳୁ ମିଳିଳା କଙ୍କାଳ, ୩ ଗିରଫ

ଭୁବନେଶ୍ୱର: ୧୦ ବର୍ଷ ପରେ ମାଟିତଳୁ ମିଳିଲା ନିଖୋଜ ବ୍ୟକ୍ତିଙ୍କ କଙ୍କାଳ । ମୃତକ ହେଲେ ଢେଙ୍କାନାଳର ଟାଉନ ଥାନା ଅନ୍ତର୍ଗତ ସୁନ୍ଦରୀଖାଲ ଅଞ୍ଚଳର ଦୋଳଗୋବିନ୍ଦ ବେହେରା । ଛେଳି ଚୋରି ରୋକିବାକୁ ବାଡ଼ରେ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ସେ ମରିଯିବା ପରେ ଘଟଣାକୁ ଲୁଚାଇବା ନିମନ୍ତେ ୩ ଅଭିଯୁକ୍ତ ଏଭଳି କାଣ୍ଡ ଭିଆଇଥିବା ଜଣାପଡ଼ିଛି । ହତ୍ୟା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ଢେଙ୍କାନାଳ ଟାଉନ ଥାନା ପୁଲିସ । ଦୋଳଗୋବିନ୍ଦଙ୍କୁ ହତ୍ୟା ପରେ ମାଟି ତଳେ ପୋତି ଦେଇଥିବା ଅଭିଯୁକ୍ତମାନେ ସ୍ୱୀକାର କରିଥିବା ଆଜି ପୁଲିସ ସୂଚନା ଦେଇଛି । ସେପଟେ ଅଭିଯୁକ୍ତଙ୍କ ବୟାନ ରେକର୍ଡ ପରେ ଦୁଇଦିନ ଧରି ଜେସିବି ଦ୍ୱାରା ମାଟି ଖୋଳି କଙ୍କାଳ ବାହାର କରିଛି ପୁଲିସ । ଯୁବକଙ୍କ ଶରୀରର କିଛି ହାଡ଼ ମାଟିତଳୁ ମିଳିବା ପରେ ଟେଷ୍ଟିଂ ପାଇଁ ଲାବକୁ ପଠାଇଛି ପୁଲିସ । ୨୦୧୩ ଜୁଲାଇରୁ ଦୋଳଗୋବିନ୍ଦ ନିଖୋଜ ନେଇ ପରିବାର ଲୋକେ ପୁଲିସରେ ଅଭିଯୋଗ କରିଥିଲେ । ତାଙ୍କ ପତ୍ତା ନ ମିଳିବାରୁ ୨୦୧୪ରେ ପରିବାର ଲୋକେ ହତ୍ୟା ଅଭିଯୋଗ କରିଥିଲେ । ଏନେଇ ଢେଙ୍କାନାଳ ଏସ୍‌ଡିପିଓ ସୂର୍ଯ୍ୟମଣୀ ପ୍ରଧାନ କହିଛନ୍ତି, ଅଭିଯୁକ୍ତମାନଙ୍କ ଛେଳି ପ୍ରତ୍ୟେକ ଦିନ ଚୋରି ହେଉଥିଲା । ଦୁର୍ବୃତ୍ତକୁ ଧରିବା ନିମନ୍ତେ ସେମାନେ ଛେଳି ରଖୁଥିବା ସ୍ଥାନର ଚାରିପଟ ବାଡରେ ବିଦ୍ୟୁତ୍ ତାର ବିଛାଇ କରେଣ୍ଟ ଚାର୍ଜ କରିଦେଇଥିଲେ । ଏହି ତାରରେ ପଡ଼ି ଦୋଳଗୋବିନ୍ଦଙ୍କ ମୃତ୍ୟୁ ହୋଇଥିଲା । ପରେ ଦୋଳଗୋବିନ୍ଦଙ୍କ ମୃତଦେହକୁ ସେମାନେ ଗାତ ଖୋଳି ପୋତି ଦେଇଥିଲେ । ଅଭିଯୁକ୍ତମାନେ ଏହା ସ୍ୱୀକାର କରିଛନ୍ତି । ଗାତ ଖୋଳିଥିବା ସ୍ଥାନକୁ ଦେଖାଇବା ପରେ ଏହି ସ୍ଥାନକୁ ଖୋଳି ମୃତ ବ୍ୟକ୍ତିଙ୍କ ହାଡ଼ ବାହାର କରାଯାଇଛି । ଏଥିସହ ସମସ୍ତ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

10 years after disappearanceskeletons found in soil