୬ ମାସ ଧରି କମୁଛି ଆନ୍ତର୍ଜାତିକ ମାର୍କେଟରେ ତୈଳ ଦର

ନୂଆଦିଲ୍ଲୀ : ଆନ୍ତର୍ଜାତିକ ମାର୍କେଟରେ ଅଣବିଶୋଧିତ ତୈଳ ଦର ବୃଦ୍ଧି ଘଟିବା ମାତ୍ରେ ଏହାର ପ୍ରଭାବ ଭାରତରେ ଦେଖିବାକୁୁ ମିଳିଥାଏ । ସରକାର ମଧ୍ୟ ଏହାକୁ ଆଳ କରି ତତ୍‌କ୍ଷଣାତ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି କରିବାରେ କୁଣ୍ଠାବୋଧ କରିନଥାନ୍ତି । ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ ପ୍ରସଙ୍ଗ ହେଉଛି, ଆନ୍ତର୍ଜାତିକ ମାର୍କେଟରେ ତୈଳ ଦର ବିଗତ ୭ ମାସ ମଧ୍ୟରେ ତୈଳ ଦର ସବୁଠାରୁ କମ ରହିଥିଲେ ସୁଦ୍ଧା ଭାରତୀୟ ମାର୍କେଟରେ ପେଟ୍ରୋଲ କିମ୍ବା ଡିଜେଲ ମୂଲ୍ୟକୁ ହ୍ରାସ କରାଯାଉନାହିଁ । ଗତ ସପ୍ତାହରେ ଆନ୍ତର୍ଜାତିକ ମାର୍କେଟରେ ତୈଳ ଦର ବ୍ୟାରେଲ ପିଛା ୯୦ ଡଲାର ରହିଥିଲା । ଚଳିତବର୍ଷ ଫେବୃଆରୀ ପରଠାରୁ ଏହା ସବୁଠାରୁ କମ ବୋଲି ଜଣାପଡିଛି । ୟୁରୋପକୁ ଗ୍ୟାସ୍ ଯୋଗାଣ ଉପରେ ରୁଷ୍‌ର କଟକଣା, ଓପେକ୍ (ଅର୍ଗାନାଇଜେସନ ଅଫ୍ ପେଟ୍ରୋଲିୟମ ଏକ୍ସପୋଟିଂ କଣ୍ଟ୍ରିଜ୍‌)ରେ ତୈଳ ଉତ୍ପାଦନ ହ୍ରାସ ଏବଂ ଷ୍ଟକ୍ ମାର୍କେଟରେ ଅଂଶଧନ କମିବା ସତ୍ତ୍ୱେ ଆନ୍ତର୍ଜାତିକ ମାର୍କେଟରେ ତୈଳ ମୂଲ୍ୟ କମିବା ନିଶ୍ଚିତଭାବେ ସ୍ୱାଗତଯାଗ୍ୟ । ଏହାସତ୍ତ୍ୱେ ବିଗତ ୧୫୮ ଦିନ ଧରି ଭାରତରେ ପେଟ୍ରୋଲ, ଡିଜେଲ ମୂଲ୍ୟ କମିବାର ନାଁ ଧରୁନାହିଁ । ଏ ପ୍ରସଙ୍ଗରେ ସାମ୍ବାଦିକମାନେ ଗତ ଶୁକ୍ରବାର କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରିଙ୍କୁ ପ୍ରଶ୍ନ କରିଥିଲେ । ଜବାବରେ ସେ କହିଛନ୍ତି ଯେ ଆନ୍ତର୍ଜାତିକ ମାର୍କେଟରେ ତୈଳ ଦର ଯେତେବେଳେ ଅଧିକ ରହିଥିଲା, ସେତେବେଳେ ଭାରତର ତେଲ କମ୍ପାନୀଗୁଡିକ କ୍ଷତି ସହିବା ସତ୍ତ୍ୱେ ମୂଲ୍ୟକୁ ଅପରିବର୍ତ୍ତିତ ରଖିଥିଲେ । ବର୍ତ୍ତମାନ ତେଲ ଦର ହ୍ରାସ ପାଉଥିବାବେଳେ ଏହା ସେମାନଙ୍କର ପୂର୍ବ କ୍ଷତିକୁ ଭରଣା କରିବ ବୋଲି ପୁରି କହିଛନ୍ତି । ତେବେ ଚଳିତବର୍ଷ ଏପ୍ରିଲରୁ ଭାରତୀୟ ତେଲ କମ୍ପାନୀ କେତେ କ୍ଷତି ସହିଲେଣି, ସେ ସମ୍ପର୍କରେ ପୁରି ସ୍ପଷ୍ଟ କରିନାହାନ୍ତି । ସେପ୍ଟେମ୍ବର ୮ ସୁଦ୍ଧା ଭାରତ ୮୮ ଡଲାର ବ୍ୟାରେଲ ପିଛା ତେଲ ଆମଦାନି କରୁଛି । ଏପ୍ରିଲରେ ଏହା ବ୍ୟାରେଲ ପିଛା ୧୦୨.୯୭ ଡଲାର ଥିଲା । ମେ’ରେ ଏହା ୧୦୯.୫୧ ଓ ଜୁନ୍‌ରେ ୧୧୬.୦୧ ଡଲାରକୁ ବୃଦ୍ଧି ପାଇଥିଲା । ଜୁଲାଇରେ ଏହା କମିବା ଆରମ୍ଭ କରିଥିଲା । ଅଗଷ୍ଟ ଓ ସେପ୍ଟେମ୍ବରରେ ଏହା ଯଥାକ୍ରମେ ୯୭.୪୦ ଓ ୯୨.୮୭ ଡଲାର ରହିଥିବା ଜଣାପଡିଛି । ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ସରକାରଙ୍କୁ ସାହାଯ୍ୟ କରିବାକୁ ଇଣ୍ଡିଆନ ଅଏଲ, ଭାରତ ପେଟ୍ରୋଲିୟମ, ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଭଳି କମ୍ପାନୀଗୁଡିକ ତେଲ ଦର କମାଇନଥିବା କୁହାଯାଉଛି । ଆନ୍ତର୍ଜାତିକ ମାର୍କେଟରେ ତେଲ ଦର ବୃଦ୍ଧି କରାଯାଉଥିବାବେଳେ ଭାରତୀୟ କମ୍ପାନୀଗୁଡିକ ଏକଦା ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ (ଲିଟର ପିଛା) ଯଥାକ୍ରମେ ୨୦-୨୫ ଏବଂ ୧୪-୧୮ ଟଙ୍କା କ୍ଷତି ସହିଥିବା ଜଣାପଡିଛି । ବିଗତ ୬ ମାସ ଧରି ପେଟ୍ରୋଲ, ଡିଜେଲ ମୂଲ୍ୟ ଅପରିବର୍ତ୍ତିତ ରହିଥିବାରୁ ସେମାନେ କେତେକାଂଶରେ କ୍ଷତି ଭରଣା କରିସାରିଥିବା ଜଣାପଡିଛି ।