୬ ମାସ ଛୁଟିରେ ଗଲେ ବରିଷ୍ଠ IAS ସୁଜାତା କାର୍ତ୍ତିକେୟନ

ଭୁବନେଶ୍ୱର : ୬ ମାସ ଛୁଟିରେ ଗଲେ ବରିଷ୍ଠ ଆଇଏଏସ ସୁଜାତା କାର୍ତ୍ତିକେୟନ। ଝିଅର ଦଶମ ପରୀକ୍ଷା ପ୍ରସ୍ତୁତି (Child care leave) କାରଣ ଦର୍ଶାଇ ସେ ଛୁଟିରେ ରହିଥିବା ଜଣାପଡିଛି। ଆସନ୍ତା ନଭେମ୍ବର ୨୬ ତରିଖ ଯାଏଁ ସେ ଛୁଟିରେ ଯାଇଛନ୍ତି। ଗତ ସାଧାରଣ ନିର୍ବାଚନ ସମୟରେ ମିଶନ ଶକ୍ତି ବିଭାଗର ମୁଖ୍ୟ ଥିବା ସୁଜାତା ନିଜର କ୍ଷମତାର ଦୁରୁପଯୋଗ କରି ନିର୍ବାଚନୀ ପ୍ରକ୍ରିୟାରେ ହସ୍ତକ୍ଷେପ କରୁଥିବା ଅଭିଯୋଗ ପରେ ତାଙ୍କୁ ଅର୍ଥ ବିଭାଗକୁ ବଦଳି କରିଥିଲେ ଆୟୋଗ।

ସୂଚନାଯୋଗ୍ୟ ସୁଜାତା ହେଉଛନ୍ତି ବିଜେଡି ନେତା ତଥା ପୂର୍ବତନ ଆଇଏଏସ ଅଧିକାରୀ କାର୍ତ୍ତିକ ପାଣ୍ଡିଆନଙ୍କ ସ୍ତ୍ରୀ। ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଥିବା, ଫାଇଭ ଟି ଅଧ୍ୟକ୍ଷ ଏବଂ ନୂଆ ଓ ମୁଖ୍ୟ ଥିବା କାର୍ତ୍ତିକ ପାଣ୍ଡିଆନଙ୍କୁ ନେଇ ଗତ କିଛି ମାସ ହେବ ଓଡ଼ିଶା ରାଜନୀତି ସରଗରମ ରହିଥିଲା। ରାଜ୍ୟରେ ବିଜେଡିର ବଡ଼ ପରାଜୟ ପାଇଁ ସେ ଏକମାତ୍ର କାରଣ ବୋଲି ଚର୍ଚ୍ଚା ହେଉଛି।

ଅନ୍ୟପଟେ ରାଜ୍ୟରେ ନୂଆ ସରକାର ଆସିବା ପୂର୍ବରୁ ସିଏମଓ ଛାଡିଛନ୍ତି ୭ ଜଣ ଅଧିକାରୀ । ଏହି ୭ ଜଣ ଅସରପ୍ରାପ୍ତ ଅଧିକାରୀ ପୂର୍ବରୁ ବିଭିନ୍ନ ପଦପଦବୀରେ ପୁନଃ ନିଯୁକ୍ତି ପାଇ କାର୍ଯ୍ୟ କରୁଥିଲେ।ମୁଖ୍ୟ ଉପଦେଷ୍ଟା ପଦରୁ ଇସ୍ତଫା ଦେଇଛନ୍ତି ସୁରେଶ ମହାପାତ୍ର। ସେହିପରି ସ୍ପେଶାଲ ଇନିସିଏଟିଭ୍ ଉପଦେଷ୍ଟା ପଦରୁ ଆର୍.ବାଲକ୍ରିଷ୍ଣନ ମଧ୍ୟ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି।