୨୦ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ବର: ପ୍ରାଥମିକ ସ୍କୁଲ ଶିକ୍ଷକ ପଦବୀରେ ନିଯୁକ୍ତି ବଡ ନିଷ୍ପତି ନେଲେ ରାଜ୍ୟ ସରକାର। ରାଜ୍ୟରେ ଚୁକ୍ତି ଭିତ୍ତିକ ନିଯୁକ୍ତି ପ୍ରଥା ଉଚ୍ଛେଦ ହୋଇଥିବାବେଳେ ପ୍ରାଥମିକ ବିଦ୍ୟାଳୟରେ ଖାଲି ଥିବା ଶିକ୍ଷକ ପଦ ପୂରଣ କରିବା ପାଇଁ ସରକାର ୨୦ ହଜାର କନିଷ୍ଠ ଶିକ୍ଷକ(ଯୋଜନା ଭିତ୍ତିରେ)ଙ୍କୁ ନିୟୋଜନ କରିବେ। ମାଧ୍ୟମିକ ଶିକ୍ଷାର ସ୍ଥିତି ସୁଧାରିବା ପରେ ପ୍ରାଥମିକ ଶିକ୍ଷାର ନବକଳେବର କରିବାକୁ ପ୍ରସ୍ତୁତି କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ଗଣଶିକ୍ଷା ବିଭାଗ ଅଧୀନରେ ଖୁବ୍‌ ଶୀଘ୍ର ୨୦ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇବେ। ଏନେଇ ଆଜି ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏହି ନିଯୁକ୍ତି ପ୍ରକ୍ରିୟା ଲାଗି ଆବେଦନ ପ୍ରକ୍ରିୟା ଆସନ୍ତା ମାସରୁ ଆରମ୍ଭ ହେବା ନେଇ ସୂଚନା ମିଳିଛି । ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ(ଏନସିଟିଇ)ର ପରିବର୍ତ୍ତିତ ନିଷ୍ପତ୍ତିକୁ ଆଧାର କରି ନିଯୁକ୍ତି ପ୍ରକ୍ରୟା ତ୍ୱରାନ୍ୱିତ ହେବ। ଓସେପା ପକ୍ଷରୁ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ ହେବାକୁ ଥିବାବେଳେ ସ୍ୱଚ୍ଛ ପଦ୍ଧତ୍ତିରେ ନିଯୁକ୍ତି ପାଇଁ ବିଭାଗ ବିଶେଷ ଗୁରୁତ୍ୱ ଦେଉଛି। ତେଣୁକରି ଏ ସମସ୍ତ ପ୍ରକ୍ରିୟା ତ୍ୱରାନ୍ୱିତ ପାଇଁ ଜଣେ ନୋଡାଲ୍‌ ଅଧିକାରୀଙ୍କୁ ନିଯୁକ୍ତ ମଧ୍ୟ କରାଯାଛି। ନିଯୁକ୍ତି ପାଇବାକୁ ଥିବା ଆଶାୟୀ ମାନଙ୍କର ଦକ୍ଷତା ମାପିବାକୁ କେନ୍ଦ୍ରୀୟ ସଂସ୍ଥା ‘ଏଡସିଲ୍‌’କୁ ଦକ୍ଷତା ପରୀକ୍ଷା ଆୟୋଜନ ପାଇଁ ଦାୟିତ୍ୱ ଦିଆଯିବାକୁ ଥିବାବେଳେ ଏନେଇ ନିଷ୍ପତ୍ତି ଚୁଡ଼ାନ୍ତ ହୋଇଛି ।

ତେବେ ଏହି ନିଯୁକ୍ତି ପ୍ରକ୍ରିୟା ପାଇଁ ରାଜ୍ୟ ସରକାର କିଛି ନିୟମରେ ପରିବର୍ତନ କରିଛନ୍ତି। ରାଜ୍ୟ ସରକାର ଗ୍ରହଣ କରିଥିବା ନିଷ୍ପତ୍ତିକୁ ମଧ୍ୟ ବିଜ୍ଞପ୍ତିରେ ଗୁରୁତ୍ୱ ଦିଆଯିବ। ଆସନ୍ତା ବର୍ଷ ପ୍ରାରମ୍ଭରେ ବିଧାନସଭା ଏବଂ ଲୋକସଭା ନିର୍ବାଚନ ଥିବାରୁ ଚଳିତ ବର୍ଷ ଶେଷ ସୁଦ୍ଧା ନିଯୁକ୍ତି ପ୍ରକ୍ରିୟା ଶେଷ କରିବା ପାଇଁ ବିଭାଗ ସ୍ତରରେ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି।

ODISHA