ସ୍ଥଗିତ ରହିଲା ଘରୋଇ ବସ ଧର୍ମଘଟ

ଆସନ୍ତାକାଲି ରାଜ୍ୟବ୍ୟାପୀ ହେବାକୁ ଥିବା ଘରୋଇ ବସ ଧର୍ମଘଟ ସ୍ଥଗିତ ରଖାଯାଇଛି। ବସ ଧର୍ମଘଟକୁ ସ୍ଥଗିତ ରଖାଯାଇଥିବାର ଘରୋଇ ବସ ମାଲିକ ସଂଘ ସୂଚନା ଦେଇଛି । ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ବସ ଧର୍ମଘଟ ସ୍ଥଗିତ ରଖାଯାଇଥିବା ନେଇ ବସ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ବସ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ଯେ ୧୦ଟି ଦାବିରୁ ରାଜ୍ୟ ସରକାର ୩ଟି ଦାବି ମାନି ନେଇଛନ୍ତି।

ଏହି ଦାବି ନେଇ ସରକାରଙ୍କ ସହ ଆଲୋଚନା ପରେ ୩ଟି ଦାବି ପୂରଣ ହୋଇଛି । ବାକି ଦାବିଗୁଡିକ ପୂରଣ ପାଇଁ ସରକାର ସମୟ ମାଗିଛନ୍ତି । ମାର୍ଚ୍ଚ ୩୧ ସୁଦ୍ଧା ଅନ୍ୟ ଦାବିଗୁଡ଼ିକ ପୁରଣ ନହେଲେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛି ମାଲିକ ସଂଘ ।

ସ୍କ୍ରାପିଂ ପଲିସିକୁ ୧୫ ରୁ ୨୦ ବର୍ଷକୁ ବଢାଇବାକୁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ଦିନରେ ସ୍ଲିପର କୋଚ ଚଳାଇବା ଏବଂ ଟ୍ରାନ୍ସଫର ଅଫ ପରମିଟ ଭଳି ଦାବି ପୂରଣ ହୋଇଥିବା ମଧ୍ୟ ଜଣାଯାଇଛି । ବାକି ଦାବି ମାର୍ଚ୍ଚ ୩୧ ସୁଦ୍ଧା ପୂରଣ ପାଇଁ ପ୍ରତିଶ୍ରୁତି ମିଳିଛି । ଯଦି ଦାବି ପୂରଣ ନ ହେବ ପରବର୍ତ୍ତୀ ପଦକ୍ଷେପ ବିଷୟରେ ସଂଘ ଚିନ୍ତା କରିବ ବୋଲି କହିଛନ୍ତି ।