ମୋଦୀଙ୍କ ଉପରେ ବର୍ଷିଲେ ରାହୁଲ !

ମୁହଁ ଖୋଲିଲେ ରାହୁଲ । ରାହୁଲଙ୍କ ଅଯୋଗ୍ୟ ଘୋଷଣା କଲେ ମୋଦୀ ! ରାହୁଲଙ୍କୁ ଡରୁଛନ୍ତି କି ମୋଦୀ ? ସରଗରମ ହେଉଛି ରାଜନୀତି । ଥମୁନି ରାହୁଲଙ୍କ ବୟାନ ବାଜି । ସାଂସଦ ପଦ ରଦ୍ଦ ହେବା ପରେ ପ୍ରଥମଥର ପାଇଁ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । କହିଛନ୍ତି ଯେ, ‘ମୋତେ ଅଯୋଗ୍ୟ ଘୋଷଣା କରାଯିବାର କାରଣ ସମସ୍ତେ ଭଲ ଭାବେ ବୁଝିବା ଉଚିତ । ମୁଁ ପ୍ରକୃତରେ ମୋଦୀ ଓ ଆଦାନୀଙ୍କ ଭିତରେ ଥିବା ଭିତିରି ସମ୍ପର୍କକୁ ସମସ୍ତଙ୍କୁ ଜଣାଇବାକୁ ଚାହୁଁଥିଲି ।

ଆଦାନୀଙ୍କୁ ନେଇ ମୋର ପ୍ରଥମ ମନ୍ତବ୍ୟ ପରେ କାଳେ ପରବର୍ତ୍ତୀ ସ୍ପିଚ୍ ଆସିଯିବ ସେଥିପାଇଁ ମୋଦୀ ଭାରି ଡରିଯାଇଥିଲେ । ତା’ ପୂର୍ବରୁ ମୋର ସାଂସଦ ପଦ ରଦ୍ଦ କରିଦେଲେ । ମୁଁ ତାଙ୍କ ଆଖିରେ ଡର ଦେଖିଛି’ । ଆହୁରି ମଧ୍ୟ କହିଛନ୍ତି ଯେ, ‘ପ୍ରଥମେ ଆଦାନୀଙ୍କ ଘଟଣା ଉପରୁ ଦୃଷ୍ଟି ହଟାଇବାକୁ ଚେଷ୍ଟା କଲେ ଏହାପରେ ମୋତେ ଅଯୋଗ୍ୟ ଘୋଷଣା କଲେ । ପ୍ରକୃତରେ ନରେନ୍ଦ୍ର ମୋଦୀ ଓ ଆଦାନୀଙ୍କ ଭିତରେ ଘନିଷ୍ଠ ସମ୍ପର୍କ ରହିଛି । ସବୁଠାରୁ ବଡ କଥା ହେଲା ଏ ଘଟଣା ବାବଦରେ ସବୁ ବିଜେପି ନେତା ଜାଣିଛନ୍ତି ।

ହେଲେ ସେମାନେ ସମସ୍ତେ ମୋଦୀଙ୍କୁ ଡରନ୍ତି । ତେଣୁ ମୁହଁ ଖୋଲନ୍ତି ନାହିଁ । ହେଲେ ମୁଁ କାହାକୁ ଡରେନାହିଁ । ମୁଁ ସବୁବେଳେ ସତ ପଚାରିଛି ଆଗକୁ ପଚାରିବି ମଧ୍ୟ । ତେଣିକି ମୋତେ ଡରାନ୍ତୁ ଧମକାନ୍ତୁ ବା ଜେଲ ପଠାନ୍ତୁ’ ମୋର କିଛି ଭୟ ନାହିଁ ବୋଲି ରାହୁଲ କହିଛନ୍ତି । ତେବେ ଆଗାମୀ ଦିନରେ ରାହୁଲ ସ୍ଥିତି କଣ ରହିବ ତାହା ଉପରେ ଏବେ ସମସ୍ତହ୍‌କ ନଜର ।