ମୁଖ୍ୟ ଶାସନ ସଚିବଙ୍କ ଟ୍ୱିଟ୍କୁ ନେଇ ଚିହିଁକି ଉଠିଲେ ଶକ୍ତି ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ଅସହ୍ୟ ଗରମ ଗୁଳୁଗୁଳି ସାଙ୍ଗକୁ ଦାଉ ସାଧୁଛି ବିଜୁଳି କାଟ ସମସ୍ୟା I ଗାଁ ଗଣ୍ଡା କଥା ଛାଡ଼ନ୍ତୁ,ରାଜଧାନୀ ଭୁବନେଶ୍ୱରରେ ବି କଟୁଛି ଘଣ୍ଟା ଘଣ୍ଟା ଧରି ବିଜୁଳି I ଗଛର ପତ୍ରଟିଏ ହଲିଲେ ବି ବିଜୁଳି ହେଉଛି ଗାୟବ I କିନ୍ତୁ ରାଜ୍ୟରେ ପାୱାର ସଟେଜ ନାହିଁ। ପାୱାର କଟ କେଉଁଠି ହେଉନାହିଁ । ପବନ ହେଲେ ଲାଇନ କାଟିବାକୁ ବାଧ୍ୟ । କାଳ ବୈଶାଖୀ ଦ୍ୱାରା ଅନେକ ସ୍ଥାନରେ ଖୁଣ୍ଟ ପଡ଼ି ଯାଇଛି। ଖୁଣ୍ଟ ଲଗେଇକି ତାର ଲଗେଇବା ସମୟ ସାପେକ୍ଷ। ଯେଉଁଠି ଦୁଇ ତିନି ଘଣ୍ଟା ଲାଇନ କଟୁଛି ଏଇଟା ଭିତ୍ତିଭୂମି ଅସୁବିଧା ପାଇଁ ହେଉଛି। ଏହା କହି ଟାଟା ପାୱାରକୁ ଘଣ୍ଟ ଘୋଡାଉଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ I

ଅନ୍ୟପକ୍ଷେ ରାଜ୍ୟରେ ବିଜୁଳି କାଟ୍କୁ ନେଇ ଜନଜୀବନ ଅସ୍ତବ୍ୟସ୍ତ I ଗତ ଗୁରୁବାର ଦିନ କାଳବୈଶାଖୀ ଯୋଗୁଁ ରାଜଧାନୀ ଭୁବନେଶ୍ୱର ଘଣ୍ଟା ଘଣ୍ଟା ଧରି ହୋଇ ଯାଇଥିଲା ଅନ୍ଧକାରମୟ I ଏ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଟ୍ୱିଟ କରି ଅସନ୍ତୋଷ ବ୍ୟକ୍ତ କରିଥିଲେ I ସେ କହିଥିଲେ ‘କି ମରାମତି ନାଁରେ ଲାଇନ୍ କଟିବା ଗ୍ରହଣୀୟ ନୁହେଁ । ଢିଲା କାମ ପାଇଁ ସେ ତାଗିଦ କରିବା ସହ ତୁରନ୍ତ କାମ ସାରି ଲାଇନ ଦେବାକୁ ସେ ଟାଟା ପାୱାରକୁ କହିଥିଲେ’ । ଏପରିକି ସେ କହିଥିଲେ-କାଳବୈଶାଖୀରେ ଯଦି ଏମିତି ଅବସ୍ଥା, ବାତ୍ୟା ହେଲେ କଣ ହେବ ।

ଏ ନେଇ ଶକ୍ତିମନ୍ତ୍ରୀ ପ୍ରତାପ ଦେବ ଚିହିଁକି ଉଠିଛନ୍ତି,ତାଙ୍କ ମତରେ ଭିତ୍ତିଭୂମି ଅଭାବରୁ ଉପୁଜୁଛି ବିଦ୍ୟୁତ୍ ସମସ୍ୟା । ପାୱାର ସର୍ଟେଜ୍ ନଥିଲେ ବି ଭିତ୍ତିଭୂମି ଅଭାବରୁ ଉପଭୋକ୍ତାମାନେ ଅନେକ କ୍ଷେତ୍ରରେ ପାୱାର ସପ୍ଲାଇରୁ ବଞ୍ଚିତ ହେଉଛନ୍ତି । ଏପରିକି ଟ୍ରାନସଫରମର ପୋଡ଼ି ଯାଉଛି । ସେ କହିଛନ୍ତି, ରାଜ୍ୟରେ ପାୱାର କଟ୍ ହେଉନାହିଁ । ବାରମ୍ବାର ଗଣମାଧ୍ୟମକୁ କହିଛି, ପାୱାରକଟ୍ ଶବ୍ଦ ବ୍ୟବହାର କରନ୍ତୁ ନାହିଁ । ପବନ ବହିଲେ ବିଦ୍ୟୁତ୍ କାଟିବାକୁ ବାଧ୍ୟ ।

ସେପଟେ, ଅଘୋଷିତ ବିଦ୍ୟୁତ୍ କାଟକୁ ନେଇ ଜରୁରୀ ବୈଠକ ଡାକିଲେ ମୁଖ୍ୟ ଶାସନ ସଚିବ । ଆସନ୍ତା ସୋମବାର ବୈଠକ ଡାକିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ଲୋକସେବା ଭବନରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ । ବୈଠକରେ ରାଜ୍ୟର ୪ ବିତରଣ କମ୍ପାନୀର ସିଇଓଙ୍କୁ ଡକାଯାଇଥିବା ସୂଚନା ମିଳିଛି ।