ବିଜେପିକୁ ଭରସା ବିଜେଡି: ମୋଦୀ ଫୋନ କଲେ, ନବୀନ ମାନିନେଲେ

ନୂଆଦିଲ୍ଲୀ: ବିରୋଧୀ ମେଣ୍ଟ ମୋଦୀ ସରକାରଙ୍କ ବିରୋଧରେ ଆଣିଥିବା ଅନାସ୍ଥା ପ୍ରସ୍ତାବକୁ ବି‌ଜୁ ଜନତା ଦଳ(ବିଜେଡି) ବିରୋଧ କରିବ। ଚଳିତ ମାସ ୮ ତାରିଖରୁ ୧୦ ତାରିଖ ଯାଏଁ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ନେଇ ଆଲୋଚନା ହେବାର ଯଥେଷ୍ଟ ପୂର୍ବରୁ ବିଜେଡି ତାହାର ଆଭିମୁଖ୍ୟ ସ୍ପଷ୍ଟ କରିଛି। ଅନାସ୍ଥା ପ୍ରସ୍ତାବ ନୋଟିସ ଗୃହୀତ ହେବା ପରେ ବିଜେଡି ଏହାକୁ ସମର୍ଥନ କରିବ ନା ବିରୋଧ କରିବ ନା ବିରତ ରହିବ ସେ ନେଇ ରାଜନୈତିକ ମହଲରେ ଯେଉଁ କଳ୍ପନାଜଳ୍ପନା ଲାଗି ରହିଥିଲା ସେଥିରେ ଆଜି ପୂର୍ଣ୍ଣଚ୍ଛେଦ ପଡ଼ିଛି। ବିଜେଡିର ଏଭଳି ରାଜନୈତିକ ଗୋଟିଚାଳନାରେ ବିରୋଧୀ ମେଣ୍ଟ ଛନ୍ଦି ହୋଇପଡ଼ିଛି। ହେଲେ ଏହା ମୋଦୀ ସରକାରଙ୍କ ପାଇଁ ବଡ଼ ଆଶ୍ବସ୍ତି ଆଣିଦେଇଛି। ଅର୍ଥାତ୍‌ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ଏବେ ସୁଦୃଢ଼ ସ୍ଥିତିକୁ ଆସିଛି। ବିଶେଷକରି ଦିଲ୍ଲୀ ଜାତୀୟ ରାଜଧାନୀ ଅଂଚଳ ସରକାର(ସଂଶୋଧନ) ବିଲ୍‌ -୨୦୨୩ରେ ବିଜେଡିର ରାଜ୍ୟସଭାରେ ୯ ଜଣ ସାଂସଦଙ୍କ ସମର୍ଥନ ବିଶେଷ ଗୁରୁତ୍ବ ବହନ କରିବ।

ମୋଦୀ ସରକାରଙ୍କ ପ୍ରଥମ ପାଳିରେ ୨୦୧୮ ଜୁଲାଇ ୨୦ରେ ବିରୋଧୀଙ୍କ ଦ୍ବାରା ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ଆଲୋଚନା ଆରମ୍ଭ ହେବା ପୂର୍ବରୁ ବିଜେଡି କକ୍ଷତ୍ୟାଗ କରି ଚାଲିଯାଇଥିଲା‌। ସେବେ ବିଜେଡିର ତତ୍କାଳୀନ ଲୋକସଭା ନେତା ଭର୍ତ୍ତୃହରି ମହତାବ କହିଥିଲେ ଯେ ବିଜେଡି ଗତ ୧୪ ବର୍ଷ ଭିତରେ କେନ୍ଦ୍ରରେ ୧୦ ବର୍ଷର ଉପା ଶାସନ ଦେଖିଛି। ଚାରିବର୍ଷ ଧରି ଏନଡିଏ ଶାସନ ଦେଖିଲାଣି। ଏହି ୧୪ ବର୍ଷର ଅବଧି ଭିତରେ ଓଡ଼ିଶାକୁ କିଛି ବି ଲାଭ ମିଳିନାହିଁ। ଏଣୁ ଅନାସ୍ଥା ପ୍ରସ୍ତାବ ଆଲୋଚନା ରାଜ୍ୟ ବା ରାଜ୍ୟବାସୀଙ୍କ ପାଇଁ କୌଣସି ପ୍ରାସଙ୍ଗିକତା ବହନ କରୁନାହିଁ। ଏଭଳି ଆଲୋଚନାରେ ଭାଗନେବା ଫଳପ୍ରଦ ହେବନାହିଁ।‌ ସେ‌ତେବେଳେ ବିଜେଡିର ନିଷ୍ପତ୍ତି ଅନ୍ୟ ସବୁ ରାଜନୈତିକ ଦଳ ଓ ସମୀକ୍ଷକମାନଙ୍କୁ ଚକିତ କରିଥିଲା। ଏଣୁ ବିଜେଡି ଏଥର ସମର୍ଥନ ଦେଲା ସତ, ହେଲେ ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ଭାଗ ନେଇ କେଉଁ ସବୁ ପ୍ରସଙ୍ଗ ଉପରେ ଆଲୋକପାତ କରିବ ତାହା ଉପରେ ସମସ୍ତଙ୍କ ନଜର ରହିବ। ଅନ୍ୟପକ୍ଷରେ ପୂର୍ବରୁ ବିଜେଡି ମାର୍ଚ୍ଚ ୨୦୨୧ରେ ଦିଲ୍ଲୀର ଜାତୀୟ ରାଜଧାନୀ ଅଞ୍ଚଳ ସରକାର (ଜିଏନ୍‌ସିଟିଡି) ସଂଶୋଧନ ବିଲ୍‌-୨୦୨୧କୁ ରାଜ୍ୟସଭାରେ ଜୋରଦାର୍‌ ବିରୋଧ କରି କକ୍ଷତ୍ୟାଗ କରିଥିଲା। ବିରୋଧ ସତ୍ତ୍ବେ ସରକାର ଏହି ବିଲ୍‌କୁ ରାଜ୍ୟସଭାରେ ପାରିତ କରିବାରେ ସଫଳ ହୋଇଥିଲେ। କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ବାଧୀନ ଏନଡିଏ ସରକାରକୁ ବିଜୁ ଜନତା ଦଳ ନିସର୍ତ୍ତ ସମର୍ଥନ ଦେବା କିଛି ନୂଆ କଥା ନୁ‌ହେଁ। ପୂର୍ବରୁ ସରକାରଙ୍କୁ ଅନେକ ଗୁରୁତ୍ବପୁର୍ଣ୍ଣ ବିଲ୍‌ରେ ସମର୍ଥନ ଦେଇ ବିଜେଡି ସଙ୍କଟମୋଚନ ଭୂମିକା ନିର୍ବାହ କରିଛି। ହେଲେ ସମଦୂରତ୍ବ ଆଭିମୁଖ୍ୟ ଉପରେ କାଏମ ରହିବା ନେଇ ପୂର୍ବରୁ ଦାବି କରୁଥିବା ବିଜେଡିର ଉପରୋକ୍ତ ଦୁଇଟି ପ୍ରସଙ୍ଗରେ ନିଷ୍ପତ୍ତି ଏନ୍‌ଡିଏ ଆଡ଼େ ବିଜେଡି ଢଳୁଥିବାର ଇଙ୍ଗିତ କରୁଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।