ବାଂଲାଦେଶ-ମିଆଁମାର ଆଡ଼କୁ ଗତି କରିବ ବାତ୍ୟା

ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୋମବାର ଦିନ ଏହାର ଗତିପଥ ସଂପର୍କରେ ପୂର୍ବାନୁମାନ କରାଯାଇଛି । ବିଭାଗର ମହାନିର୍ଦ୍ଦେଶକ ଡ.ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଏହି ଲଘୁଚାପ ଆହୁରି ଘନୀଭୂତ ହୋଇ ଏକ ଅତି ଭୀଷଣ ବାତ୍ୟାରେ ପରିଣତ ହେବ । କିନ୍ତୁ ଏହା ବାଂଲାଦେଶ ଓ ମିଆଁମାର ଅଭିମୁଖେ ଗତି କରିବାର ସମ୍ଭାବନା ରହିଛି । ଏଣୁ ଓଡ଼ିଶା ପ୍ରତି କୌଣସି ବିପଦର ଆଶଙ୍କା ନାହିଁ ବୋଲି ସେ କହିଛନ୍ତି ।

ଏକ ସାମ୍ବାଦିକ ସମ୍ମିଳନୀରେ ଡ. ମହାପାତ୍ର କହିଛନ୍ତି ଯେ, ଏହି ଲଘୁଚାପ ଆସନ୍ତା କାଲି ଅର୍ଥାତ ମଙ୍ଗଳବାର ସୁଦ୍ଧା ଏକ ଡିପ୍ରେସନରେ ପରିଣତ ହେବ ଓ ଉତ୍ତର ଓ ଉତ୍ତରପଶ୍ଚିମ ଦିଗରେ ଗତି କରିବ । ମେ ୧୦ରେ ଏହା ଏକ ସାମୁଦ୍ରିକ ବାତ୍ୟା ରୂପ ନେବ । ମେ ୧୨ ତାରିଖ ସୁଦ୍ଧା ଏହା ଏକ ଅତି ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି ଓ ଏହା ବାଂଲାଦେଶ ଓ ମିଆଁମାର ଆଡ଼କୁ ଗତି କରିବ। ତେବେ ଏହି ବାତ୍ୟା ପଶ୍ଚିମବଙ୍ଗର କେତେ ନିକଟ ହୋଇଯାଉଛି ତାହା ଉପରେ ନଜର ରଖାଯାଇଛି । ଏହି ଲଘୁଚାପ ଏକ ଡିପ୍ରେସନରେ ପରିଣତ ହେବା ପରେ ଆଇଏମଡି ଏହାର ଲାଣ୍ଡଫଲ (ସ୍ଥଳଭାଗ ଛୁଇଁବା) ସ୍ଥାନ ଓ ସମୟ ସଂପର୍କରେ ପୂର୍ବାନୁମାନ କରିପାରିବ ବୋଲି ସେ କହିଛନ୍ତି ।

ତେବେ ଓଡ଼ିଶା ପ୍ରତି ବିଶେଷ ସତର୍କ ସୂଚନା ନ ଥିବା କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ମଙ୍ଗଳବାର ବାତ୍ୟା ସମ୍ପର୍କିତ ଅପଡେଟ ସୂଚନା ଆଇଏମଡି ପକ୍ଷରୁ ଦିଆଯିବ ବୋଲି ସେ କହିଛନ୍ତି । ଓଡ଼ିଶା ସହ ଅନ୍ୟ ପୂର୍ବ ଉପକୂଳ ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୌଣସି ସତର୍କତା ଜାରି କରାଯାଇନି । ବର୍ଷା, ପବନ ନେଇ ମଧ୍ୟ ଓଡ଼ିଶା, ଆନ୍ଧ୍ରପ୍ରଦେଶ କିମ୍ବା ପଶ୍ଚିମବଙ୍ଗକୁ ଓ୍ବାର୍ଣ୍ଣିଂ ଦିଆଯାଇନି ।