ନକଲି ଔଷଧ ମାମଲା, ତଦନ୍ତ ରାଜ୍ୟ ବାହାରକୁ ଗଲା ତଦନ୍ତକାରୀ ଟିମ୍‌

କଟକ: ବହୁ ଚର୍ଚ୍ଚିତ ନକଲି ଔଷଧ କାରବାର ମାମଲାର ତଦନ୍ତ ପାଇଁ କମିଶନ୍‌ରେଟ ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ରାଜ୍ୟ ବାହାରକୁ ଯାଇଛି । ନକଲି ଔଷଧ ପ୍ରସ୍ତୁତ କରି ଓଡ଼ିଶାକୁ ଚାଲାଣ କରୁଥିବା ଫାର୍ମ ବାବଦରେ ପୁରୀଘାଟ ଥାନା ପୁଲିସର ଏହି ୪ ଜଣିଆ ଟିମ୍ ବିଭିନ୍ନ ତଥ୍ୟ ସଂଗ୍ରହ କରିବ ବୋଲି ଆଜି କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି । କମିଶନ୍‌ରେଟ ପୁଲିସର ଏହି ଟିମ୍ ନକଲି ଔଷଧ ପ୍ରସ୍ତୁତିର ମୂଳ ସ୍ଥାନରେ ପହଞ୍ଚିବାକୁ ଉଦ୍ୟମ କରିବ । ଏଥି ସହିତ ମୂଳସ୍ଥାନ ଗୁଡିକରୁ ଓଡ଼ିଶାର କେଉଁ କେଉଁ ବ୍ୟବସାୟୀଙ୍କ ପାଖକୁ ନକଲି ଔଷଧ ଚାଲାଣ ହେଉଛି ଏବଂ ଏହି କାରବାରର ପରଦା ପଛରେ ଆଉ କେଉଁମାନେ ରହିଛନ୍ତି ସେ ନେଇ ଖୋଳତାଡ଼ କରିବ ଏହି ଟିମ୍ । ଗ୍ଲେନ୍‌ମାର୍କ ଭଳି ଏକ ପ୍ରତିଷ୍ଠିତ କମ୍ପାନୀର ଔଷଧ ଟେଲମା -୪୦, ଟେଲମା -ଏଏମ ଔଷଧ ପ୍ରସ୍ତୁତ କରି ବିକ୍ରି କରୁଥିବା ଜଣା ପଡ଼ିଥିଲା । ଗତ ୧୦ ତାରିଖରେ ପୁରୀଘାଟ ଥାନାରେ ଡ୍ରଗ୍ସ ଇନ୍ସପେକ୍ଟର ୪ ଜଣଙ୍କ ନାମରେ ଏତଲା ଦେଇଥିଲେ । ଯାଉଁଳିଆପଟି ଅଞ୍ଚଳର ପୂଜା ଏଣ୍ଟରପ୍ରାଇଜେସ୍‌ର ମାଲିକାଣୀ ଚଞ୍ଚଲ ଜଲାନ୍ ଓ ତାଙ୍କ ସ୍ୱାମୀ ମାଲିକ ସଞ୍ଜୟ ଜଲାନ୍ ଏବଂ ମାଣିକଘୋଷ ବଜାରସ୍ଥିତ ଭି.ଆର.ଡ୍ରଗ୍ ଏଜେନ୍ସି ମାଲିକାଣି ବର୍ଷାରାଣୀ କୋୟଲ ଓ ତାଙ୍କ ପୁଅ ରାହୁଲ କୋୟଲଙ୍କ ନାମରେ ଏତଲା ଦେଇଥିଲେ ଡ୍ରଗସ ଇନ୍ସପେକ୍ଟର । ସଂଜୟ ଓ ରାହୁଲ ଆତ୍ମ ସମର୍ପଣ କରିବାରୁ ପୁଲିସ ଦୁହିଁକୁ ଗିରଫ କରିଥିଲା । ମାତ୍ର ଡିଷ୍ଟିବୁଟର ପ୍ରକୃତ ମାଲିକାଣି ବର୍ଷାରାଣୀ ଓ ଚଞ୍ଚଲକୁ ପୁଲିସ ଗିରଫ କଲା ନାହିଁ । ଏହି କାରବାରରେ ଦୁଇ ମହିଳାଙ୍କ ସଂପୃକ୍ତି ନାହିଁ ଏବଂ ସେମାନଙ୍କ ସ୍ୱାମୀ ଓ ପୁତ୍ର ଏହି ନକଲି ଔଷଧ କାରବାର କରୁଥିବାରୁ ସେମାନଙ୍କୁ ଗିରଫ କରାଗଲା ବୋଲି ପୁଲିସ ପକ୍ଷରୁ କୁହାଯାଇଥିଲା । ଦୁଇ ଅଭିଯୁକ୍ତଙ୍କ ସଂସ୍ଥା ଉପରେ ଚଢଉ କରି ପୁଲିସ ବିପୁଳ ନକଲି ଔଷଧ ଜବତ କରିବା ଦୁହିଁକୁ ଗିରଫ କରି କୋର୍ଟ ଚାଲଣ କରିଥିଲା ପୁଲିସ । ଓଡ଼ିଶା ଡ୍ରଗ କଣ୍ଟ୍ରେଲ ବିଭାଗ ରାଜ୍ୟ ଭିତରେ କାରବାର ହୋଇଥିବା ୩୦ ଲକ୍ଷ ଟଙ୍କାର ନକଲି ଔଷଧକୁ ବଜାରରୁ ଜବତ କରିସାରିଛି । ଏହା ବ୍ୟତୀତ ଦୁଇଟି ପର୍ଯ୍ୟାୟରେ ଗିରଫ ଅଭିଯୁକ୍ତଙ୍କ ବିଭିନ୍ନ ବ୍ୟାଙ୍କରେ ଥିବା ମୋଟ ୪୦ ଲକ୍ଷ ଟଙ୍କାକୁ ଜବତ କରିଛି ପୁଲିସ । ଏହାଛଡା କଟକ ମହତାବ ରୋଡ୍‌ରେ ଥିବା ଏକ ଟ୍ରାନ୍ସପୋର୍ଟ ସଂସ୍ଥା ତ୍ରିଦେବ ଏକ୍ସପ୍ରେସ୍ କାର୍ଗୋରୁ ୩ ଲକ୍ଷରୁ ଅଧିକ ଟଙ୍କା ମୂଲ୍ୟର ୧୩୫୦ ଷ୍ଟ୍ରିପ୍ ନକଲି ଉଚ୍ଚ ରକ୍ତଚାପ ଔଷଧ ଜବତ କରାଯାଇଥିଲା । ଅପରପକ୍ଷେ ବର୍ଷାରାଣୀ ଓ ଚଞ୍ଚଲଙ୍କୁ ହାଇକୋର୍ଟ ଅନ୍ୟାଦେଶ ପର୍ଯନ୍ତ ଅନ୍ତରୀଣ ସୁରକ୍ଷା ପ୍ରଦନା କରିଛନ୍ତି ।

In the case of counterfeit drugs