ଅକ୍ଷରଧାମ ମନ୍ଦିର ପରିଦର୍ଶନ କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ଭାରତର ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଛି ଜି-୨୦ ଶିଖର ସମ୍ମିଳନୀ । ଏଥିରେ ଯୋଗଦେବାକୁ ୨୯ଦେଶର ରାଷ୍ଟ୍ରମୁଖ୍ୟଙ୍କ ସମେତ ଅନ୍ୟ ଦେଶର ପ୍ରତିନିଧିମାନେ ମଧ୍ୟ ଆସିଛନ୍ତି । ତେବେ ଜି-୨୦ର ପ୍ରଥମ ଅଧିବେଶନ ଶନିବାର ଦିନ ଶେଷ ହୋଇଥିବା ବେଳେ ଆଜି ଏହାର ଦ୍ଵିତୀୟ ଅଧିବେଶନ l

ଜି-୨୦ ଅବସରରେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ତାଙ୍କ ସ୍ତ୍ରୀ ଅକ୍ଷତା ମୁର୍ତ୍ତୀ ଭାରତ ଆସିଛନ୍ତି । ଦୀଲ୍ଲୀରେ ଚାଲିଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବା ସହ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ପତ୍ନୀ ଅକ୍ଷତା ମୁର୍ତ୍ତୀ ଆଜି ଅକ୍ଷରଧାମ ମନ୍ଦିର ପରିଦର୍ଶନ କରିଛନ୍ତି । ଦୁହେଁ ପୂର୍ବରୁ ଏହି ମନ୍ଦିର ଦର୍ଶନ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ତେବେ ନିଜର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ମଧ୍ୟରେ ଅକ୍ଷରଧାମ ମନ୍ଦିର ଯାଇ ଆଜି ପୁଜାର୍ଚ୍ଚନା କରିଛନ୍ତି ସୁନକ ଓ ଅକ୍ଷତା l

ସେଠାରେ ସେମାନେ ପହଞ୍ଚିବା ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଥିଲା । ସାମାନ୍ୟ ବର୍ଷା ହେଉଥିବା ସମୟରେ ଅକ୍ଷରଧାମ ମନ୍ଦିରର ପୂଜାରୀମାନେ ତାଙ୍କୁ ସ୍ଵାଗତ କରିବା ସହ ମନ୍ଦିର ପରିଦର୍ଶନ କରାଇଥିଲେ। ସେଠାରେ ସେମାନେ ପାଖାପାଖି ୪୦ ମିନିଟ ସମୟ ବିତାଇଥିଲେ ଓ ଆରତୀ କରିଥିଲେ । ରାଜଘାଟ ଠାରେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପରେ ରିଷି ସୁନକ ସେଠାରେ ପହଞ୍ଚିଥିଲେ l ମନ୍ଦିର ପରିଦର୍ଶନ ସମୟରେ ରିଷି ସୁନକ ନିଜକୁ ଏକ ହିନ୍ଦୁ ବୋଲି କହି ଗର୍ବ ଅନୁଭବ କରିଥିଲେ ଓ ସୁଯୋଗ ମିଳିଲେ ପୁଣି ଅକ୍ଷରଧାମ ଆସିବେ ବୋଲି ମଦ୍ୟ କହିଛନ୍ତି l