୨୭ରେ ହେବ ରାଜ୍ୟସଭା ନିର୍ବାଚନ; ଖାଲି ହେବ ଓଡ଼ିଶାର ୩ ରାଜ୍ୟସଭା ଆସନ

ଭୁବନେଶ୍ବର: ଆସନ୍ତା ଫେବ୍ରୁଆରୀ ୨୭ରେ ହେବ ରାଜ୍ୟସଭା ନିର୍ବାଚନ । ଏନେଇ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ । ୧୫ଟି ରାଜ୍ୟର ୫୬ଟି ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ । ୫୬ଟି ଆସନ ମଧ୍ୟରେ ଓଡିଶାର ତିନୋଟି ରହିଛି

ସେହିପରି ଉତ୍ତରପ୍ରଦେଶର ସର୍ବାଧିକ ୧୦ଟି ଆସନ ଖାଲି ରହିଥିବା ବେଳେ, ରାଜସ୍ଥାନ ୩ଟି ରହିଛି, ମଧ୍ୟପ୍ରଦେଶରେ ୫ଟି, ଛତିଶଗଡ଼ରେ ଗୋଟିଏ, ବିହାରରେ ୬ଟି, ଆନ୍ଧ୍ରପ୍ରଦେଶରେ ୩ଟି, ଗୁଜୁରାଟରେ ୪ଟି, ହରିୟାଣା ଗୋଟିଏ, ଉତ୍ତରଖଣ୍ଡରେ ଗୋଟିଏ, ହିମାଚଳ ପ୍ରଦେଶରେ ଗୋଟିଏ, ତେଲେଙ୍ଗାନାରେ ୩ଟି, କର୍ଣ୍ଣାଟକରେ ୪ଟି, ମହାରାଷ୍ଟ୍ରରେ ୬ଟି, ପଶ୍ଚିମବଙ୍ଗରେ ୫ଟି ରହିଛି ।

ତେବେ ଆସନ୍ତା ଏପ୍ରିଲ ୩ ତାରିଖରେ ସରିବାକୁ ଯାଉଛି ଓଡ଼ିଶାର ୩ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ । ଏହି ୩ ସାଂସଦ ହେଲେ ବିଜେଡିର ଅମର ପଟ୍ଟନାୟକ ଓ ପ୍ରଶାନ୍ତ ନନ୍ଦ ଏବଂ ବିଜେପିର ଅଶ୍ୱିନୀ ବୈଷ୍ଣବ ।

ସୂଚନା ମୁତାବକ, ଫେବ୍ରୁଆରୀ ୨୭ରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ୮ ଫେବ୍ରୁଆରୀରେ ବିଜ୍ଞପ୍ତି ପ୍ରକାଶ ପାଇବ । ସେହିଭଳି ୧୫ ଫେବ୍ରୁଆରୀ ସୁଦ୍ଧା ନାମାଙ୍କନପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । ୧୬ ତାରିଖରେ ନାମାଙ୍କନପତ୍ର ଯାଞ୍ଚ ହେବ । ୨୦ ଫେବ୍ରୁଆରୀ ସୁଦ୍ଧା ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ ।

୨୭ ତାରିଖରେ ରାଜ୍ୟସଭା ନିର୍ବାଚନ ପାଇଁ ମତଦାନ ହେବା ସହ ଫଳାଫଳ ପ୍ରକାଶ ପାଇବ । ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି ।