ମରିବି ପଛେ, ବିଜପିକୁ ସମର୍ଥନ ଦେବିନି !

ବିଜପିକୁ ନୀତିଶ କଲେ ଟାର୍ଗେଟ । ମରିଯିବି ପଛେ ବିଜେପି ସହ ମେଣ୍ଟ କରିବିନି । ବିଜେପି ଦେଲା ପ୍ରତିଉତ୍ତର । ବିହାରରେ ଶାସନ କରୁଥିବା ଜେଡିୟୁରେ କନ୍ଦଳ ମଧ୍ୟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବଡ ଘୋଷଣା କରିଛନ୍ତି । ନୀତୀଶ କହିଛନ୍ତି ମରିବା ଯାଏ କେବେହେଲେ ବିଜେପି ସହ ଆସିବେ ନାହିଁ । ସେ ସ୍ପଷ୍ଟ ଭାବେ କହିଛନ୍ତି ମୋତେ ମୃତ୍ୟୁ ପସନ୍ଦ, କିନ୍ତୁ ବିଜେପି ସାଥିରେ ଯିବି ନାହିଁ ।ନୀତୀଶ କୁମାର କହିଛନ୍ତି ଆମେ ଅଟଳଜୀଙ୍କୁ ମାନୁଥିବା ଲୋକ । ଆମେ ବିଜେପିର ହାତ ଛାଡିଦେଇଥିଲୁ । ସେମାନେ ଜବରଦସ୍ତି ଆମ ସହ ଆସିଥିଲେ । ୨୦୨୦ରେ ମୁଁ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁନଥିଲି, ସେମାନେ କିନ୍ତୁ ଯାହା କଲେ ତାହା ସମସ୍ତେ ଜାଣିଛନ୍ତି ।

ଆମେ ତାଙ୍କୁ ଅନେକ ସମ୍ମାନ ଦେଇଛୁ । ସେ ଆହୁରି ମଧ୍ୟ କହିଛନ୍ତି, ଚଳିତ ଥରର ନିର୍ବାଚନ ହେବାକୁ ଦିଅନ୍ତୁ । ସମସ୍ତଙ୍କୁ ଜଣାପଡିବ ଯେ କାହାକୁ କେତେ ସିଟ୍ ମିଳୁଛି ।ନୀତୀଶଙ୍କ ବୟାନ ସେହି ସମୟରେ ଆସିଛି ଯେଉଁ ସମୟରେ ତାଙ୍କ ଦଳର ନେତା ଉପେନ୍ଦ୍ର କୁଶୱାହ ତାଙ୍କ ଉପରେ ଲଗାତର ନିଶାନା ଲଗାଇଚାଲିଛନ୍ତି । ସେ ଦାବି କରିଛନ୍ତି, ଜେଡିୟୁର ବଡ ବଡ ନେତା ବିଜେପିର ସମ୍ପର୍କରେ ରହିଛନ୍ତି । ସେ ଯେତେବେଳେ ଚିକିତ୍ସା ପାଇଁ ଏମ୍ସରେ ଭର୍ତ୍ତି ହୋଇଥିଲେ ସେତେବେଳେ ତାଙ୍କ ସହ ଅନେକ ବିଜେପି ନେତାଙ୍କ ଫଟୋ ସାମ୍ନାକୁ ଆସିଥିଲା । ଏହା ପରେ ସେ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହୋଇଥିଲା । ତେବେ ସେ କହିଥିଲେ ଯେ ଜେଡିୟୁ ଛାଡି ସେ କେଉଁଆଡେ ଯିବେ ନାହିଁ । ଅନ୍ୟପଟେ ଗତକାଲି ବିହାର ବିଜେପି ମୁଖ୍ୟ ସଞ୍ଜୟ ଜୈସ୍ୱେଲ ନିତୀଶଙ୍କ ଟାର୍ଗେଟ କରି କହିଛନ୍ତି,ବିହାରରେ ନୀତିଶ କୁମାରଙ୍କ ସହ ଆଉ ମେଣ୍ଟ ହେବନି। ତାଙ୍କର ଲୋକପ୍ରିୟତା ନଥିବାରୁ ତାଙ୍କ ସହିତ ମେଣ୍ଟର ପ୍ରଶ୍ନ ଉଠୁନି।

ଗତ ନିର୍ବାଚନରେ ତାଙ୍କର ଲୋକପ୍ରିୟତା ନଥିବାରୁ ତାଙ୍କ ଆସନ କମିଥିଲା ଏବଂ ବିଜେପି ଆସନ ବଢିଥିଲା। ପରବର୍ତୀ ନିର୍ବାଚନରେ ଦଳ ଏକାକୀ ଲଢ଼ି ସରକାର କରିବ । ଆଗକୁ ଆସୁଥିବା ଲୋକସଭା ନିର୍ବାଚନରେ ବିଜେପି ୪୦ ରୁ ୩୫ ଆସନ ଜିତିବାକୁ ଯୋଜନା କରୁଛି।