ବିଲ୍‌କିସ୍ ବାନୋ ମାମଲାରେ ଗୁଜରାଟ ସରକାରଙ୍କ ସତ୍ୟପାଠ: ଉତ୍ତମ ଆଚରଣ ଯୋଗୁଁ ଦୋଷୀଙ୍କୁ ଖଲାସ କରାଯାଇଛି

ନୂଆଦିଲ୍ଲୀ: ଗୁଜରାଟର ବହୁଚର୍ଚ୍ଚିତ ବିଲ୍‌କିସ୍ ବାନୋ ଗଣଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡାଦେଶ ପାଇଥିବା ସମସ୍ତ ୧୧ ଜଣ ଦୋଷୀଙ୍କୁ ଗୁଜରାଟ ସରକାର ଚଳିତବର୍ଷ ଅଗଷ୍ଟ ୧୫ରେ ଖଲାସ କରିଦେଇଛନ୍ତି । ଏହାର ପ୍ରତିବାଦରେ ସୁପ୍ରିମକୋର୍ଟରେ ୩ଟି ପୃଥକ ପିଟିସନ ଦାଏର ହୋଇଥିଲା । ପୂର୍ବରୁ ସୁପ୍ରିମକୋର୍ଟ ଏହାର ଶୁଣାଣି କରି ସତ୍ୟପାଠ ଜରିଆରେ ତଥ୍ୟ ଦାଖଲ କରିବାକୁ ଗୁଜରାଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତଦନୁଯାୟୀ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି । ଜେଲ୍‌ରେ ଦୋଷୀଙ୍କ ଉତ୍ତମ ଆଚରଣ ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଲିଖିତ (୧୧.୭.୨୦୨୨ ଚିଠି) ଅନୁମୋଦନକ୍ରମେ ଦୋଷୀଙ୍କୁ ଖଲାସ କରାଯାଇଛି ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି । ଏହି ପ୍ରସଙ୍ଗରେ ଗୁଜରାଟ ସରକାରଙ୍କ ୧୯୯୨ ଦଣ୍ଡାଦେଶ ହ୍ରାସ ନୀତିକୁ ଅବଲମ୍ବନ କରାଯାଇଥିବା କୁହାଯାଇଛି ।
ସୂଚନାଯୋଗ୍ୟ ୨୦୦୨ ଫେବୃଆରାୀ ୨୭ରେ ଗୁଜରାଟର ଗୋଧ୍ରା ଷ୍ଟେସନରେ ସାବରମତି ଏକ୍ସପ୍ରେସ୍‌ର ଦୁଇଟି ବଗିରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଥିଲେ । ଏଥିରେ ଅଯୋଧ୍ୟାରୁ ଫେରୁଥିବା ୫୯ ଜଣ କରସେବକ ପ୍ରାଣ ହରାଇଥିଲେ । ସେହି ସମୟରେ ୫ ମାସର ଗର୍ଭବତୀ ଥିବା ବିଲକିସ୍ ବାନୋ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ନିଜର ନାବାଳିକା କନ୍ୟା ଓ ପରିବାରର ଅନ୍ୟ ୧୫ ସଦସ୍ୟଙ୍କ ସହ ଗ୍ରାମରୁ ବାହାରି ନିକଟସ୍ଥ ଧାନବିଲରେ ଆତ୍ମଗୋପନ କରିଥିଲେ । ଏହି ସମୟରେ ବିଭିନ୍ନ ମାରଣାସ୍ତ୍ରରେ ସଜ୍ଜିତ ପ୍ରାୟ ୨୦-୩୦ ଲୋକ ସେଠାରେ ପହଞ୍ଚି ବିଲ୍‌କିସ୍‌ଙ୍କୁ ଗଣଦୁଷ୍କର୍ମ କରିଥିଲେ । ଏହାବ୍ୟତୀତ ଦୁର୍ବୃତ୍ତମାନେ ୭ ଜଣଙ୍କୁ ହତ୍ୟା ମଧ୍ୟ କରିଥିଲେ । ଅନ୍ୟମାନେ ଘଟଣାସ୍ଥଳରୁ ଦୌଡି ପଳାଇଥିଲେ । ସୁପ୍ରିମକୋର୍ଟ ଏହି ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରି ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ୨୦୦୪ରେ ସବୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ଅହମ୍ମଦାବାଦରେ ଶୁଣାଣି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ତେବେ ବିଲ୍‌କିସ୍‌ଙ୍କ ଅନୁରୋଧକ୍ରମେ ମାମଲାର ତଦନ୍ତ ପ୍ରକ୍ରିୟା ମୁମ୍ବାଇକୁ ସ୍ଥାନାନ୍ତର କରାଯାଇଥିଲା । ୨୦୦୮ ଜାନୁଆରୀ ୨୧ରେ ସିବିଆଇ କୋର୍ଟ ୭ ଜଣଙ୍କୁ ଦୋଷୀସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଥିବାବେଳେ ଅନ୍ୟ ୭ ଜଣଙ୍କୁ ପ୍ରମାଣ ଅଭାବରୁ ଖଲାସ କରିଥିଲେ । ଅପରପକ୍ଷରେ ବିଲ୍‌କିସ୍‌ଙ୍କୁ ବାସଗୃହ, ଚାକିରୀ ଓ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ୨୦୧୯ରେ ଗୁଜରାଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।