ବର୍ଷକୁ ମାଗଣା ମିଳିବ ୫ଟି ଏଲପିଜି ସିଲିଣ୍ଡର

କର୍ଣ୍ଣାଟକା ବିଧାନସଭା ନିର୍ବାଚନ ପୂର୍ବରୁ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ୍‌ ଭେଟରାନ ଏଚ୍‌ଡି ଦେବଗୌଡ଼ା ଭୋଟରଙ୍କୁ ବଡ଼ବଡ଼ ପ୍ରତିଶ୍ରୁତି ଦେଇଛନ୍ତି। ଭୋଟରଙ୍କୁ ନିଜ ଆଡ଼କୁ ଆଣିବା ପାଇଁ ଆଜି ଜେଡିଏସ୍‌ ପକ୍ଷରୁ ୧୨ ସୂତ୍ରୀ ପ୍ରତିଶ୍ରୁତି ପତ୍ର ବା ନିର୍ବାଚନୀ ହିସ୍ତାହାର ଜାରି କରାଯାଇଛି। ମହିଳା ସଶକ୍ତୀକରଣ ଓ କୃଷକଙ୍କ ବିକାଶ ଉପରେ ଦଳ ଅଧିକ ଫୋକସ କରିଛି।

ଜେଡିଏସ ନିର୍ବାଚନ ଜିତିଲେ ପ୍ରତିବର୍ଷ ପରିବାର ପିଛା ୫ଟି ଏଲପିଜି ସିଲିଣ୍ଡର ମାଗଣାରେ ଯୋଗାଇ ଦେବ ବୋଲି କହିଛି।

ଦଳ ତା’ର ହିସ୍ତାହାରରେ ପ୍ରତିଶ୍ରୁତି ଦେଇଛି ଯେ କ୍ଷମତାକୁ ଆସିବା ପରେ ସ୍ତ୍ରୀ ଶକ୍ତି ଗ୍ରୁପ ପକ୍ଷରୁ ନିଆଯାଇଥିବା ସମସ୍ତ ଋଣକୁ ଛାଡ଼ କରାଯିବ। ଏହାବାଦ ବର୍ଷକୁ ମାଗଣାରେ ୫ଟି ଏଲପିଜି ସିଲିଣ୍ଡର, ୬ ମାସ ଯାଏ ଗର୍ଭବତୀଙ୍କୁ ୬ ହଜାର ଟଙ୍କା ଲେଖାଏ ଭତ୍ତା, ବିଧବା ଭତ୍ତାକୁ ୯୦୦ରୁ ୨୫ ଶହକୁ ବୃଦ୍ଧି ଓ ୧୫ ବର୍ଷ ଚାକିରି ଶେଷ କରିଥିବା ସମସ୍ତ ଲୋକଙ୍କୁ ପେନସନ ଦିଆଯିବ ବୋଲି ଦଳ କହିଛି।