ଦରଦାମ ବୃଦ୍ଧି ପ୍ରତିବାଦ ରେ ସାରା ଦେଶରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ଦେଶରେ ମୁଦ୍ରାସ୍ପୀତି ପ୍ରତିବାଦ ରେ ଆଜି ଶୁକ୍ରବାର ଦିନ ସାରା ଦେଶରେ କଂଗ୍ରେସ ପକ୍ଷରୁ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହାର ପ୍ରତିବାଦ କରି କଂଗ୍ରେସ ସାଂସଦ ବିଜୟ ଚୌକରେ ଧାରଣା ଦେଇଛନ୍ତି। ଦଳ ରାଜଧାନୀ ଦିଲ୍ଲୀଠୁ ନେଇ ବିଭିନ୍ନ ରାଜ୍ୟରେ ପ୍ରତିବାଦ କରିଛି । ଏହା ସହିତ ସଂସଦ ଭିତରେ ସାଂସଦ ମାନେ କଳା ପୋଷାକ ପିନ୍ଧି ପ୍ରଦର୍ଶନ ଜାରି ରଖିଥିଲେ I ସେହିପରି ବିଭିନ୍ନ ରାଜ୍ୟରେ କଂଗ୍ରେସ ନେତା ଓ ବିଧାୟକମାନେ ଦରଦାମ ବୃଦ୍ଧି ବିରୋଧରେ ଗର୍ଜନ କରିଛନ୍ତି।

ଦିଲ୍ଲୀରେ କଂଗ୍ରେସ ସଂସଦରୁ ରାଷ୍ଟ୍ରପତି ଭବନ ଯାଏ ଶାନ୍ତିଶୃଙ୍ଖଳାର ସହ ବିକ୍ଷୋଭ ଶୋଭାଯାତ୍ରା କରିବାକୁ ଯୋଜନା କରିଥିଲେ ମଧ୍ୟ ପୁଲିସ୍‌ ଏଥିପାଇଁ ଅନୁମତି ଦେଇନି। କଂଗ୍ରେସ ସାଂସଦଙ୍କୁ ଧରି ରାହୁଲ ଗାନ୍ଧି ରାଷ୍ଟ୍ରପତି ଭବନ ଆଡ଼କୁ ଯାଉଥିବା ବେଳେ ତାଙ୍କୁ ବିଜୟ ଚୌକ ଠାରୁ ଉଠାଇ ନେଇ ପୁଲିସ ଅଟକ ରଖିଛି।

ସେହିପରି ପ୍ରିୟଙ୍କ ଗାନ୍ଧି ଭଦ୍ରା ଦଳୀୟ ସମର୍ଥକଙ୍କ ସହ କଂଗ୍ରେସ ମୁଖ୍ୟାଳୟରୁ ଶୋଭାଯାତ୍ରା ବାହାରିଥିଲେ। ସେ ବ୍ୟାରିକେଡ ଡେଇଁ ଆଗକୁ ଯିବା ବେଳେ ତାଙ୍କୁ ମଧ୍ୟ ପୁଲିସ୍‌ ଉଠାଇ ନେଇ ଅଟକ ରଖିଛି। କେବଳ ରାହୁଲ ଓ ପ୍ରିୟଙ୍କା ଗାନ୍ଧି ଭଦ୍ରା ନୁହନ୍ତି, କଂଗ୍ରେସର ଅନେକ ବରିଷ୍ଠ ନେତା ଓ ସାଂସଦ ମଧ୍ୟ ଅଟକ ରହିଛନ୍ତି।

ତେବେ ବିକ୍ଷୋଭ ପାଇଁ ଦିଲ୍ଲୀ ପୁଲିସ୍‌ ଅନୁମତି ନ ଦେବା ଘଟଣାକୁ ନେଇ କଡ଼ା ଟିପ୍ପଣୀ ଦେଇଛନ୍ତି ରାହୁଲ ଗାନ୍ଧି। ଏଥିସହ ସେ କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାରଙ୍କୁ ମଧ୍ୟ ତୀବ୍ର ସମାଲୋଚନା କରିଛନ୍ତି। ବର୍ତ୍ତମାନ ଦେଶରେ ୪ ଜଣ ଏକଚ୍ଛତ୍ରବାଦୀ ଶାସନ ଚଲାଇଛନ୍ତି। ଗଣତନ୍ତ୍ରର ହତ୍ୟା କରାଯାଉଥିବା ପୂରା ଦେଶ ଦେଖୁଛି ବୋଲି ରାହୁଲ ଅଭିଯୋଗ କରିଛନ୍ତି।ଦଳୀୟ ନେତା, କର୍ମୀ,ମନ୍ତ୍ରୀ ଓ ବରିଷ୍ଠ ନେତା ବିକ୍ଷୋଭରେ ସାମିଲ ହୋଇ ସରକାରଙ୍କ ବିରୋଧରେ ନାରାବାଜୀ ଦେଇ ନିଜର ଦାବି ଜଣାଇଛନ୍ତି ।