ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱର ପାତ୍ରଙ୍କୁ ବାନ୍ଧିଲା ଇଡି

ଭୁବନେଶ୍ୱର : ବହୁଚର୍ଚ୍ଚିତ ଅର୍ଚ୍ଚନା-ଜଗବନ୍ଧୁ ଙ୍କ ସହଯୋଗୀ ଖଗେଶ୍ୱର ପାତ୍ରଙ୍କୁ ବାନ୍ଧିଲା ଇଡି I ଗତକାଲି ଅର୍ଚ୍ଚନା-ଜଗବନ୍ଧୁଙ୍କ ପୈତୃକ ବାସଭବନ ସମେତ ଛଅ ଛଅଟି ସ୍ଥାନରେ ମାରାଥନ୍ ଚଢ଼ାଉ କରିଥିଲା ଇଡି I ଏହି ସମୟରେ କୋଟି କୋଟି ଟଙ୍କାର ହିସାବ ପାଇଛି ।ଏଥି ସହିତ ଗୁରୁବାର ଅର୍ଚ୍ଚନାଙ୍କ ବିଜନେସ୍‌ ପାର୍ଟନର ଖଗେଶ୍ୱର ପାତ୍ରଙ୍କୁ ଇଡି ଅଟକ ରଖି ଜେରା କରିଥିଲା । ଖଗେଶ୍ୱର ପାତ୍ରଙ୍କ ବିରୋଧରେ ପ୍ରମାଣ ମିଳିବା ପରେ ତାକୁ ଗିରଫ କରାଯାଇଛି।

ଖଗେଶ୍ୱରର ଗିରଫ ଅନେକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଖାସ୍‌ କରି ଟଙ୍କା ନେଣଦେଣ ନେଇ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି । ଖଗେଶ୍ଵରଙ୍କ ପାଞ୍ଚଟି ଆକାଉଣ୍ଟରୁ ଅର୍ଚ୍ଚନାଙ୍କ ଆକାଉଣ୍ଟକୁ ୫୦ ଲକ୍ଷ ଟଙ୍କାର ଦେଣନେଣ ହୋଇଛି । ଯାହାର ପ୍ରମାଣ ଏବେ ଇଡି ହାତରେ ଲାଗିଛି ।

ଗୁରୁବାର ବାରଙ୍ଗ ଗଙ୍ଗେଶ୍ୱର ଗାଁରେ ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱରଙ୍କ ବାସଭବନରେ ମଧ୍ୟ ଇଡି ଚଢଉ କରିଥିଲା । ଏହାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା ।ଏହା ସତ୍ୱେ ଇଡି ଖଗେଶ୍ୱରଙ୍କ ଘରୁ ବହୁ ଗୁରୁତ୍ତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିବା ସହ ଖଗେଶ୍ବରଙ୍କୁ ତାଙ୍କ ବାସଭବନରୁ ଉଠାଆଣିଥିଲା।

ପୂର୍ବରୁ ଖଣ୍ଡଗିରି ଥାନାରେ ରୁଜୁ ମାମଲାରେ ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବା ପାଇଁ ଖଗେଶ୍ବର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଏହି ମାମଲାରେ ତାଙ୍କର କୌଣସି ସଂପୃକ୍ତି ନାହିଁ ଓ ସେ ନିର୍ଦ୍ଦୋଷ ବୋଲି ଦର୍ଶାଇ ଏହି ଆବେଦନ ଦାୟର କରିଛନ୍ତି। ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ସହଯୋଗୀ ହୋଇଥିବା ନେଇ ଖଗେଶ୍ବରଙ୍କ ନାଁରେ ଅଭିଯୋଗ ରହିଛି ।

କାଲିଠାରୁ ଖଗେଶ୍ବରକୁ ପଚରାଉଚରା କରିବା ପରେ ଇଡି ଆଜି ପୂର୍ବାହ୍ନରେ ଗିରଫ କରିଥିଲା। ଏହା ପରେ ଖଗେଶ୍ବରକୁ କୋର୍ଟ ଚାଲାଣ କରାଯାଇଥିଲା। ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାକୁ ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା I ଏହାପରେ ଅଧିକ ଖୋଳତାଡ଼ ପାଇଁ ଖଗେଶ୍ୱରକୁ ୧୫ ଦିନିଆ ରିମାଣ୍ଡରେ ଆଣିବ ଇଡି । ଏହି ସମୟରେ ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ମଧ୍ୟ ତଥ୍ୟ ଯୋଗାଡ଼ କରିବ ଇଡି ବୋଲି ସୂଚନା ମିଳିଛି ।